ଆଲୋକ କୁମାର ପ୍ରଧାନ, ପୁରୀ, ୨୫ ମାର୍ଚ୍ଚ ୨୦୨୪
ବେଦଖଲ ସ୍ବପ୍ନ ପରି ସ୍ବଳ୍ପାୟୁଷ ନୁହେଁ ଏଠି ରାତି।
ବେହିସାବି ମନପରି ଦିନ ଏଠି ପାହାନ୍ତି ପାହାନ୍ତି।।
ଦିନ-ରାତି ରାତି-ଦିନ ମିଶାମିଶି ରଙ୍ଗର କିଆରୀ।
ଥାଇ ନଥିବା ନଥିରେ ନୋଥପରି ଭାରି ହସକୁରୀ।।
ନୀରବ ମୁରବୀ ପରି ନିଥର ତା ସମଦର୍ଶୀ ଆଖି।
ଦମ୍ଭିଲାପଣରେ ସିଏ ବିଶ୍ବାସର ସବୁକାଳେ ସାକ୍ଷୀ।।
ସବୁ ଦେଖେ ସବୁ ଶୁଣେ ଚୁପଚାପ୍ ଚାହିଁ ରହିଥାଏ।
ଫେରିବାର ସତ ଠାରୁ ନ ଫେରିବା ମିଛ ମାପୁଥାଏ।।
ବାପା ପରି ବ୍ୟାପ୍ତ ସିଏ ଅନ୍ତରରୁ ଅନ୍ତରୀକ୍ଷ ଯାଏଁ।
ଶୂନ୍ୟତା ଓ ପୂର୍ଣତାର ଛାଇ ପଛେ ଛାତପରି ଥାଏ।।
ଛୁଇଁ ନାହିଁ କେହି ତାକୁ ସିଏ ଛୁଏଁ ଛୁଉଁଥାଏ ନିତି।
ସମୟ ବଦଳୁଥାଏ ସିଏ କିନ୍ତୁ ଥାଏ ସେଇମିତି।।
ଆକାଶ ଆକାଶେ ପ୍ରେମ ଆକାଶିଆ ଲାଗେ ସବୁବେଳେ।
ବାପା ପରି ଆକାଶକୁ ବୁଝିଛି କି କିଏ କେତେବେଳେ!!