ଆଲୋକ କୁମାର ପ୍ରଧାନ, ପୁରୀ, ୮ ଜାନୁଆରୀ ୨୦୨୪
ଦୁଃଖୀ ପାଇଁ ଅସରା ସେ ସୁଖୀ ପାଇଁ ଅଭୋଗା ହିଁ ହୁଏ ।
ଚାହିଁଲେ ସରେନି ଯମା ଚାହିଁଲେ ବି ରୁହେନି ଘଡ଼ିଏ।।
ଘଡ଼ା ପୁରିଗଲେ ଘୋଟେ ମୃତ୍ୟୁମେଘ ଶ୍ୟାମଳ ରଙ୍ଗରେ।
ସମୟ ଆକଟ କରେ ଫେରିବାକୁ ଠିକଣା ବେଳାରେ।।
ଆୟୁଷ ଆଶାରେ ଜିଏଁ ଆଶ୍ରୟରେ ସାରିବାକୁ ଦିନ।
ବାଟସାରା ଚାଲୁଥାଏ ଝୁଣ୍ଟିଝୁଣ୍ଟି ଅନ୍ଧାର ଗହନ।।
ଅଣ୍ଟି-କଉଡ଼ି ପରିକା ସରୁଥାଏ ଧିରେ ଧିରେ ଧିରେ।
ଭରିବା ଭ୍ରମକୁ ନେଇ କାହିଁ କେତେ କୁହୁଡ଼ି ପହଁରେ।।
ନିଶ-ପାଣି ପାଇଁ ଶୋଷ ସଞ୍ଚୁଥାଏ ଥାକଥାକ କରି।
ଆୟୁଷ୍ମାନ ସୁଖ ପାଇଁ ଛନ୍ଦୁଥାଏ ଜୀବନ ଅନ୍ଧୁରୀ।।
ଅହରହ କୁଆଁମେଲି ହସୁଥାଏ ସରିବା ସମୟ।
ଯେଉଁଠି ଜୀବନ ଲାଗେ ମଧୁମୟ ଭାରି ମଧୁମୟ।।
ଆୟୁଷ ଖିଆଲ ଖିଏ ଖଇଫୁଟା ତାତି ଜୀବନର।
ଅସରା ଆଶାର ଦେହେ ମୋହଟିକେ ବଳକା ଦିନର।।