ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୩ ମଇ ୨୦୨୫
“ତୁମେ ସଚ୍ଚିରାଉତରା
ନୁହଁ ଟାଗୋର ବା ସେଲୀ।”
ମଶାଣୀ ଫୁଲରେ ରଙ୍ଗମୟ
ତୁମରି ଜୀବନ।
ଚିତ୍ରଗ୍ରୀବ ପରି ତୁମେ ଭୀଷଣ ଏକାକୀ
ଅଳକା ସାନ୍ୟାଲ୍ କିମ୍ବା
ପ୍ରତିମା ନାୟକ ପରି
ମୁକ୍ତିକାମୀ ନାରୀ ଜୀବନରେ
ତୁମେ ଧ୍ରୁବ ତାରା।
ତୁମ କବିତାର ହାତ ଧରି
ଚାଲିବାକୁ ଭଲ ଲାଗେ
ଅସଂଖ୍ୟ ବାଜିରାଉତ ଏବେ ମଧ୍ୟ
ନିରୁଦ୍ଧିଷ୍ଟ। ପଣବନ୍ଦୀ।
ଦାଦନ ଖଟିବାକୁ ଯାଇ
ଫେରିନାହାନ୍ତି ଆଉ।
କାଳଗ୍ରାସୀ ସମୟର ଲେଲିହାନ ଜିହ୍ୱା
ସେମାନଙ୍କୁ ଶେଷ କରି ଦେଇଛି।
ଓଡ଼ିଶା ମାଟିର
“ଛୋଟ ମୋର ଗାଁଟି” ଭିତରେ
ଅନବରତ ମୁଁ ଭେଟୁଥାଏଁ
ମୋ ସେଇ ସମୁଦ୍ର କୂଳିଆ ଗାଁ
ଯିଏ ଆଜି ବି ମୋ ଚେତନାକୁ
ସଙ୍ଗୀତରେ, କବିତାରେ
ଆଉଁଷି ଦେଉଥାଏ।
ତୁମେ ପ୍ରକୃତରେ ସଚ୍ଚିରାଉତରା,
ନୁହଁ ତୁମେ ଟାଗୋର୍ ବା ସେଲୀ।
ତୁମେ ମୋ ମାଟିର ଗର୍ବ
ଅହଂକାର ମୋ ପ୍ରିୟ ଭାଷାର।