ଆଲୋକ କୁମାର ପ୍ରଧାନ, ପୁରୀ, ୬ ଜାନୁଆରୀ ୨୦୨୫
ଫୁଲ ଥାଏ ନିଆଁ ଥାଏ ପ୍ରଶାନ୍ତି ର ନିଅଁଟାଏ ଥାଏ
ନଜରରେ ନିଘା ଥାଏ ନିଘା ସବୁ ନଜରର ହୁଏ
ନିଆଁଲାଗେ ନୀରବରେ ଅଣ୍ଟିପୁରା ଆଣ୍ଟରେ ରହିଲେ
ଅଣ୍ଟିଏ ସମର୍ପଣର ଶରଧାକୁ ଗୋଡ଼େ ଆଡ଼େଇଲେ
ଆହାକୁ ଉହ୍ଯ ନରଖି ଆଖିଲୁହ ସଜେଇ ଦେଉଣୁ
କା’ଅଣ୍ଟିରୁ ପ୍ରେମପୁଞ୍ଜେ ସଞ୍ଜ ଖୋଜେ ତାରାଙ୍କ ଗହଣୁ
ଗହଣା ପରିକା ବାଜେ ଗହଗହ ମନ ଗାଆଁ ଦାଣ୍ଡେ
ସୁଖଗୁଡ଼ା ଅଣ୍ଟିପରି ଖୋଲୁଥିଲେ ଦୁଃଖ ପା ପାହୁଣ୍ଡେ
ଆସକ୍ତିର ଅସ୍ତରାଗେ ନିର୍ବାଣର ଉଦୟ ରାଗରେ
ଥିବା ନଥିବା ଦ୍ବନ୍ଦରେ ସମୟ ତା ଅଳପରେ ସରେ
ପାଦେ ପାଦେ ବଳ ହୁଏ ଅପାଦରେ ବିଶ୍ବାସ ଜୁଟାଏ
କିଛି କଥା କିଛି ବ୍ୟଥା ସମୟକୁ ଭେଟି ଦେଉଥାଏ
ଏହାତୁ ସେହାତ ଗଲେ ବାସ୍ନାର ସେ ରୂପ ବଦଳାଏ
ଅଣ୍ଟିଏ ସରାଗ ମେଳେ ଅଣ୍ଟି ଖାଲି ଭାବନାରୁ ଖିଏ।।