ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ସେପ୍ଟେମ୍ବର ୨୦୨୨
ୟା’ ପର ଲୋକଟି ବୋଧେ ମୁଁ
ପରବର୍ତ୍ତୀ କବାଟ ଝରକା ବୋଧେ ମୋର
ଆସିବ ଯଦି ମୃତ୍ୟୁ, ଆସ !
ଦେବି ତୁମକୁ ନଡ଼ିଆ ରସ
ପିଇବାକୁ ମହାନଦୀ ପାଣି
ସୁବର୍ଣ ଥାଳିରେ ହୀରା ପରଷିବେ
ପୃଥିବୀ ନନ୍ଦିନୀ
କେଉଁ ବାଟରେ ଲଘା ନାହିଁ, ପଘା ନାହିଁ
ନାହିଁ ଟ୍ରାଫିକ୍ ପୋଲିସ
ଗଲେଣି ଚାଲି ମୋର କିଛି ଅନ୍ତରଙ୍ଗ ସାଥୀ
ଓ ମୁଁ ଅପେକ୍ଷିଛି ଜଣାଇବି ତୁମକୁ କୁର୍ଣିସ୍
କାଲିଠୁ କହିଗଲାଣି ନେଉଳ ଭାଇ
ଆସନ୍ତାକାଲି ଯିବା ଲୋକଟି ମୁଁ
ପୃଥିବୀର ସବୁ ଦୁଃଖ ସହ
ଏବେ ସରିଗଲାଣି ମୋର ଲଢେଇ
ଧୀରେ ଧୀରେ ଭୁଲିଗଲେଣି ମତେ ନଗ୍ରଜନେ, ସବୁ ଆତତାୟୀ
ମୁଁ ନିଶ୍ଚୟ ସେଇ ଲୋକ
ଯାହାକୁ ଖୋଜୁଛ ତୁମେ
ଆସ ଭାଇ, ଆସ
ଦେହ ମୋର ହେଲାଣି ଅବଶ !!
ମାନସ ରଞ୍ଜନ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରୀୟ ପୁସ୍ତକ ଟ୍ରଷ୍ଟର ପୁର୍ବତନ ସମ୍ପାଦକ ଏବଂ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ରର ମୁଖ୍ୟ ।
ଦୂରଭାଷ ନଂ ୯୮୯୧୯୪୬୧୭୮