ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୬ ଅକ୍ଟୋବର ୨୦୨୬
ତୁମେ ଆମ ଗର୍ବ ମାଟିର ଗୌରବ
ସମୟ ସ୍ରୋତରେ କାଳଜୟୀ ।
ତୁମ ଗାଥା ଆଜି ଜନ ମାନସରେ
ଗଣକବି ହୋଇ ଗଲ ରହି ।।
ରସିକ ଶେଖର ରସରାଜ ସିକ୍ତ
ଜନତାଙ୍କର ସେ ମନ ଜାଣି ।
ଗୀତିନାଟ୍ୟର ଯାଦୁଗର ତୁମେ
ଗଣକବି ବୈଷ୍ଣବ ପାଣି ।।
ଜନ ମାନସରେ ଚିର ସବୁଜ ସେ
ନାଟକର ସ୍ରଷ୍ଟା ବୈଷ୍ଣବ ।
ଇନ୍ଦ୍ରସଭା ଆଣି ମର୍ତ୍ତେ ବସାଇଲ
ତାଙ୍କ ରଚନାର ଗଉରବ ।।
ଅଭିନୟ କିସ ଶିଖାଇଲ ତୁମେ
ବାଦ୍ୟ ଘୁଙ୍ଗୁରର ତାଳେ ତାଳେ ।
ନାଚି ନଚାଇଲ ଦେଖି ଦ୍ରବି ଗଲେ
କୀର୍ତ୍ତି ରଖି ଗଲ ମହୀ ତଳେ ।
କେତେ କଳାକାର ଗଢ଼ିଲ ଆପଣ
ପୁର ପଲ୍ଲୀ ହେଲା ପୁଲକିତ ।
ହାସ୍ୟ ରସ କେତେ ସୁଆଙ୍ଗ ରଚିଲ
ଘରେ ଘରେ ହେଲ ପରିଚିତ ।।
ନୀରସ ପ୍ରାଣରେ ରସ ଭରିଦେଲ
ନିଜ ରଚନାରୁ ନାଟ୍ୟ ରସ ।
ରାଜା ଜମିଦାର କେତେ ସାହୁକାର
ଠାରୁ ପାଇଥିଲ ପଉରଶ ।।
ସଞ୍ଜ ନଇଁଗଲେ ମଶାଲ ଜଳାଇ
ପେଣ୍ଡାଲ ସଜାଉଥିଲ ତୁମେ ।
ନିଜେ କଷ୍ଟ ପାଇ ନ ଖାଇ ନ ପିଇ
ଖୁସି ବାଣ୍ଟୁ ଥିଲ ପଲ୍ଲୀ ପ୍ରାଣେ ।।
ତୁମ ନାଟକର ଚରିତ୍ର ରୁ ସୃଷ୍ଟି
ରାଜା, ରାଣୀ, ମନ୍ତ୍ରୀ, କଟୁଆଳ ।
ରାଜଜେମା, ରାଜକୁମାର ରଚିଛ
ସେନାପତି ସହ ପଟୁଆର ।।
“ଛି-ଛି ମଦ ପିଇବି ନାହିଁ ଲୋ
କଳା ପାଣି ପରି ଦିଶେ ।
ସେହି କଳାପାଣି ପେଟରେ ପଡ଼ିଲେ
ଚଉଦ ଭୁବନ ନାଚେ ।।”
ସୁନ୍ଦର ବାର୍ତ୍ତାଟି ଦେଇଥିଲ ଦିନେ
ରଜକି ରଜକ ଆଢୁଆଳେ ।
ନିଶାମୁକ୍ତ ହେଲେ ସମାଜ ଉନ୍ନତି
ଲେଖି ଦେଇଥିଲ କଥା ଛଳେ ।।
ଜନମୀ ନାହାନ୍ତି ଜନମିବେ ନାହିଁ
ତୁମ ପରି ଜଣେ ଯୋଗଜନ୍ମା ।
ଆମ ମାହାଙ୍ଗାର ଗରବ ଗୌରବ
ଗୀତିନାଟ୍ୟ ସ୍ରଷ୍ଟା ତୁମେ ବ୍ରହ୍ମା ।।
ଧନ୍ୟ ଆଜି ସେହି କୋଠପଦା ଗ୍ରାମ
ଜନ୍ମି ଥିଲେ ତହିଁ କବିବର ।
କୁମାର ପୂର୍ଣ୍ଣିମା ଜନ୍ମ ତିଥି ତବ
ତୁମ ପାଦେ କୋଟି ନମସ୍କାର ।।






