ଆଲୋକ କୁମାର ପ୍ରଧାନ, ପୁରୀ, ୧ ଜୁଲାଇ ୨୦୨୪
କାଲିଠାରୁ କାଲି ଯାଏଁ ଆଜିକୁ ମୁଁ ଲମ୍ବେଇ ଆସିଲି।
ଏମୁଣ୍ଡକୁ ଛୁଇଁଲି ନା ସେମୁଣ୍ଡରୁ ଫେରି ମୁଁ ପାରିଲି।।
କାଲି ପରି ଲାଗେ ସିନା ଆଜି କିନ୍ତୁ ଭାରି ମନେପଡ଼େ।
ତୁଣ୍ଡ ଅଗେ ଲାଗିଥାଏ କଲିପରି ଥାଏ କାନ ଦାଢେ।।
ବୋଉ ହାତ ଛୁଙ୍କ ସରି ଛୁଙ୍କ ଯମା ନମିଳିଲା ପରି।
କିଛି ଥାଏ ସେଇମିତି ଯାହାକୁ ମୁଁ ହେଉଥାଏ ଝୁରି।।
କିଛି ଖୋଜା ଅଖୋଜାର ଖିଆଲରେ ନିଜକୁ ହରେଇ।
ନିଦ ନେଇ ସ୍ବପ୍ନ ନେଇ ଆଖିକୋଣେ ଥାଏ ଗୁମ୍ ହୋଇ।।
କଥାରେ କଅଁଳ ନଥା ସତ ବୋଲି ରଚୁଥାଇ ଭ୍ରମ।
ଚେନାଏ ଆକାଶ ଦେହେ ଦିଶୁଥାଏ ଲୁଚିଲା ମରମ।।
ଥମ ହୋଇ ଠିଆ ହୁଏ ଥତମତ ହେଉଥାଏ ଯାହା।
ଖୋଜିଲେ କି ମିଳୁଥାଏ ଖୋଜିବାର ତୁଟୁଥାଏ ରାହା।।
ଅନୁସରି ଅନୁସରି ବାଟ ଗୋଟେ ମୁଁ ଅନ୍ବେଷଣର।
ଅନୁଗ୍ରହେ ଜିଇଁଲି ମୁଁ ବୋଲକରା ହୋଇ ସମୟର।।