ଆଲୋକ କୁମାର ପ୍ରଧାନ, ପୁରୀ, ୧୪ ଜାନୁୟାରୀ ୨୦୨୬
ଅନୁମତି ନେବା ଥାଉ ସୂଚନାରେ ଦାୟିତ୍ଵ ଓହ୍ଲାଏ
ଉଡ଼ିବା ଛିଡ଼ିବା ରଙ୍ଗ ପ୍ରାୟତଃ ଏକା ଲାଗି ଥାଏ
ମୁହଁ ଦେଖା ମୁହଁ ମୋଡ଼ା ଲାଗୁଥାଏ ପୁରା ଏକାପରି
ମୁହଁପୁରା କଥା ସବୁ ସହିବାକୁ ହୁଏ ଚୁପ୍ କରି
ମୁହଁଟାଣ ପଦେ କଥା ପାଦତଳୁ ମାଟି କାଢ଼ି ନିଏ
ଏକ ମୁହାଁ ଚାଲିବାର ବାଟସବୁ ଅଳ୍ପାୟୁଷ ହୁଏ
ଏକା ବାଟ ଆଗପରି ତା’ବାଗରେ ବାଗେଇ ନିଏନି
ଏକା କଥା ଆଗପରି ପାଣିପରେ ସର ପକାଏନି
ଆଖି ଦେଖା କଥା ପାଇଁ ନଥା ଏବେ ସଭିଏଁ ଖୋଜନ୍ତି
ଅଦେଖା ଅଶୁଣା କଥା ଅଣଦେଖା ପାଗ ବାନ୍ଧୁଥା’ନ୍ତି
ଠିକ୍ ବୋଲି କହୁ କହୁ ଭୁଲ୍ ଗୋଟେ ବାଟ ହୋଇଯାଏ
ଭୁଲା ବାଟେ ବୟସଟା ଦିନୁଦିନ ଭାରି ହେଉଥାଏ
ଅପରାହ୍ନ ଜୀବନରେ ଅପେକ୍ଷାର ଉପେକ୍ଷିତ ଆହାଃ
ଧରାବନ୍ଧା ଗଳାବାଟେ ତାକୁ ଏଡ଼ି ଚାଲିବ କି ନାଆ?






