ଆଲୋକ କୁମାର ପ୍ରଧାନ, ପୁରୀ, ୭ ଅଗଷ୍ଟ ୨୦୨୩
ନିଃଶ୍ବାସ ଓ ପ୍ରଶ୍ବାସ ର ଆରୋହ ଓ ଅବରୋହଣରେ
ଅସ୍ତିତ୍ବ ବି ବଞ୍ଚିପାରେ ଅଲିଖିତ ଚୁକ୍ତିର କାରାରେ
ମରିବାର ନାମ ନିଏ ବଞ୍ଚିବାର ରାହା ହୁଏ ନାହିଁ
ବିଶ୍ବାସ ଉଜିଆଁ ହୁଏ ଅବିଶ୍ବାସ ନିଡ଼ଟାରେ ରହି ।।
ଖୁପୁରୁ ଖୁପୁରୁ ଡେଇଁ ଜଞ୍ଜାଳ ର ଅମଡ଼ା ବାଟରେ
ଜୀବନ ଚଞ୍ଚୁରେ ଧରି ମୃତ୍ୟୁ ଦାନା ଭାଙ୍ଗେ ଅନିଶା ରେ
ଦରମରା ପାଦ ଦେହେ ଲେଖା କେତେ ଯୁଗର କାହାଣୀ
ପାଦକୁ ପଦୁଟେ ଥୁଆ ଆଗଚଲା ଅବା ଲେଉଟାଣି ।।
ପ୍ରତୀକ୍ଷା ନିରାଶା ନାଏ ଅଶରୀରି ଆଶା ଆବର୍ତ୍ତରେ
ଧୂଳି ବି ଧୂଷର ଲାଗେ ଟାଆଁସିଆ ଟାଣ ଖରକାରେ
ଜିଇଁ ଥାଉଁ ଥାଉଁ ମରେ ମୃତ୍ୟୁ ଦେହେ ଦେଇ ହସ୍ତାକ୍ଷର
ଦୁଃଖ ଦେହେ ସୁଖ ମାଖି ମାପୁଥାଏ ଘନତା ସୁଖର ।।
ଅସ୍ତଗାମୀ ଅସ୍ତିତ୍ବ ର ଦେହେ କିବା ଅସ୍ତରାଗ ଶୋହେ
ଅସ୍ତିତ୍ବ ନାଆରେ ବସି ଜୀବନକୁ ଜିଇଁ ହୋଇ ଯାଏ ।