ଆଲୋକ କୁମାର ପ୍ରଧାନ, ପୁରୀ, ୧୭ ଜୁଲାଇ ୨୦୨୩
ଯେ ବାଟେ ଚାଲିଲେ ବାଟ ହଜି ଯାଏ ସେ ବାଟ ଡରାଏ ମୋତେ।
ବାଟ ଅବାଟର ମଝିରେ ଡରଟା ମାରୁଥାଏ ଚୋଟେ ଚୋଟେ।
ସେ ଚୋଟ ଚିଟଉ ଛିଟ ମନ ତଳେ ଛାଇଟିଏ ହୋଇ ରୁହେ।
ଛାଇ କୋଉ ଅବା ମାପେ ତା ଦିହକୁ ଖାଲି ପଛେ ପଛେ ଧାଏଁ।
ବାଟ ଦାଢେ ଦାଢେ ଅପେକ୍ଷା ଟେ ଯେବେ ଆଖି ଦି’ଟା ଥୋଇ ଦେଇ।
ଜାଳ ହୁଏ ନିଜେ ଜଞ୍ଜାଳ ବି ହୁଏ ବାଟେ ତାର ନିଘା ଥାଇ।
ନୀରବ ନିଘାର ପଘା ବେକେ ଧରି ଗୋଡ଼କାଢେ ଯେବେ ବାଟ।
ନିଃଶବ୍ଦେ ପ୍ରସ୍ଥାନ ଚିତ୍ର ଆଙ୍କୁଥାଏ ତା ମନ ଗାଧୁଆ ତୁଠ।
ବାଟ ବଇଠିରେ ମିଞ୍ଜି ମିଞ୍ଜି ସୁଖ ହସୁଥାଇ ଯେବେ ଲାଜେ।
କେମିତି କହିବି ଗଜା ମରଣକୁ ଭୋଗୁଥାଏ ମୁହଁସଞ୍ଜେ।
ସବୁ ମୁହଁ ସଞ୍ଜ ମାଛି ଅନ୍ଧାରକୁ ଦେହେ ଜଡ଼ାଇକି ଧାଏଁ?
ଯେଉଁ ଅନ୍ଧାର ର ଅନ୍ଧୁରୀ ଫାଙ୍କରେ ଆକାଶ ମଉନେ ଥାଏ।
ବାଟ ହେଉ ଅବା ଅବାଟ ବି ହେଉ ଥକିଲେ ସରେକି ଆଉ।
ହାଟୁଆ ବାଟୁଆ ଦି ‘ଦିନ ଜୀବନ ସରୁ ପଛେ ବାଟେ ଥାଉ।