ଆଲୋକ କୁମାର ପ୍ରଧାନ, ପୁରୀ, ୨୪ ଜୁନ୍ ୨୦୨୫
କିଛି ଅବସୋସ ଅବଲମ୍ବନର ଛାଇରେ ଜିଇଁଲେ ଜୀବନ ହୁଏ
କିଛି ପରିଚିତ ଅନ୍ତର୍ଦାହ ସାଥେ ଜୀବନର ସୁର ମିଳେଇ ଯାଏ
କିଛି ଦେହଭୋଗା ପରଳ ପଛରେ ଥାଇ ଥୁଣ୍ଟାହସ ହସିଲେ ଗଲା
ଖୁଣ୍ଟିଖିଆ ମନ ସମୟ ଛାତିରୁ ଓଳିଏ ଘେନିଲେ କଅଣ ଗଲା
କେଉଁଠି କେମିତି କେତେବେଳେ ଯଦି ସ୍ମୃତିର ବଖରା ଥରକେ ଖୋଲେ
କେଉଁ ବଖରାର ଦୁଆରେ ଦୁଆରୀ ଲେଉଟାଣି ଟାକୁ ନିତି ତଉଲେ
ହିସାବ ନାଆଁରେ ନିଶାପ ହୁଏନି ବରାବର ଯେବେ ସମ୍ପର୍କ ହୁଏ
ଛାଇନିଦ ପରି ଛାଇର ଛନ୍ଦରେ ତାରା ଗଣୁଗଣୁ ରାତି କି ଥାଏ
ବିରହ ରାତିର ତାରା ପରି କେବେ ନିଜେ ହସୁଥାଏ ହସାଉ ଥାଏ
ଲୁହନଈ ତୁଠେ କୁଆଁରୀ କଇଁର କେଉଁ ପାଖୁଡାରେ ଲୁହ ବା ଥାଏ
କେଉଁଠି ବର୍ଷାର ପହିଲି ଛୁଆଁକୁ ଆଗତୁରା ଛୁଏଁ ବୈଶାଖୀ ଝଡ଼
କା’ନଥିବା ରାତି ଖୋଲିଦେଇ ନଥି ମନ ଦୁଆରରେ ପକାଏ ବାଡ଼
ବାଲିଚର କଥା ଚୋରା ବାଲି ବ୍ୟଥା ବାଲିବନ୍ଧ ଦାଢେ ବାଉଳା ପାଦ
ବାଲି ଛୁଉଁ ଛୁଉଁ ପାଦ ପୋତି ହେଲେ ପାଉଁଜି ଆଖିକୁ ଓହ୍ଲାଏ ନିଦ ।