ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୧ ଜୁଲାଇ ୨୦୨୫
ମୋ ଅକ୍ଷର ଦିନେ ସୁନ୍ଦର ଥିଲା। ହାତ ବି ଠିକ୍ ଚାଲୁଥିଲା। ଏବେ ନୂଆ ରୋଗଟିଏ ହୋଇଛି। ପାକିନ୍ସନ୍ର ପୂର୍ବାଭାଷ। ଡାକ୍ତରମାନେ ଏହାକୁ ରାଇଟିଂ କ୍ରାଂପ୍ କହୁଛନ୍ତି।
୧୯୯୦ ଯାଏଁ ଏମିତି ନଥିଲା। ଏବେ ଦେଖୁଛି, ମୋ ଅକ୍ଷର ଦିନେ ଖୁବ୍ ସୁନ୍ଦର ଥିଲା। ଧୀରେ ଧୀରେ ୨୦୦୧ ମସିହା ଯାଏଁ ଠିକ୍ଠାକ୍ ଚାଲିଲା। ଓଡ଼ିଆରେ କାମ ବଂଦ ହେଇଗଲା – ହିନ୍ଦୀ ଓ ଇଂରାଜୀରେ ଚାଲିଲା। ମତେ ଲୋକେ ଭୁଲିଗଲେ। ଏବେ ନିଜକୁ ଚିହ୍ନେଇବା କଷ୍ଟ। ଧୀରେ ଧୀରେ ମୁଁ ଯେ ଓଡ଼ିଶାରେ ଏବେ ଅପରିଚିତ ହୋଇଯାଇଛି, ଜାଣିନଥିଲି। ଏବେ କେହି ଆସନ୍ତିନି – ପବନ କେବେ କେବେ ଭ୍ରମ ସୃଷ୍ଟି କରେ ଯେ କେହି ଜଣେ ଆସୁଛି!
ଏଇ ବୋଧେ ଶେଷ। ଶେଷ ଏତେ ଜଲ୍ଦି ଆସିଯିବ ବୋଲି ମୁଁ ଭାବିନଥିଲି। ଏବେ ଯେତେ ଦିନ ବଂଚିବି, ଅତୀତକୁ ମନେପକେଇ, ଗଲାଦିନର କଥା କିଛି ଇଂରାଜୀରେ ଟାଇପ କରି ହୁଏତ ଚଳେଇନେବି। ଭାଷଣ ଦେଇପାରିବି। ଏହାପରେ ବୋଧେ ଆରମ୍ଭ ହେବ ଏପିଲେପ୍ସି। କହିବା ବେଳକୁ ବି ପାଟି ଖନି ମାରିଯାଉଥିବ। ଏମିତି କିଛିଦିନ ଚଳିଯିବ।
ଗଲାବର୍ଷ ଏଇଦିନରେ ମୋର ଦୁଇଜଣ ଛାତ୍ରୋପମ – ଅମିତ ବାଦ୍ଶା ଓ ପ୍ରୀତିମାନ ମହାପାତ୍ର ଚାଲିଗଲେ କରୋନାର। କବିମିତ୍ର ମଂଗଳେଶ ଚବ୍ରାଲ୍ ଓ ରାହତ୍ ଇନ୍ଦୋରି ବି ଗଲେ। ଗୌହାଟୀରେ ଆୟୁଷ୍ମାନ ବି କରୋନାରେ ଗଲା। ଏମିତି କେତେଦିନ ଚାଲିବ କେଜାଣି?
ସୁନ୍ଦର ଅକ୍ଷର କଥା କହିଲେ ମୋର କବି ଓ ଚିତ୍ରଶିଳ୍ପୀ ବଂଧୁ ଛନ୍ଦାଚରଣ କଥା ଭାରି ମନେପଡ଼େ। କାଲି ଛନ୍ଦାର ଜନ୍ମଦିନ ଥିଲା। ବଂଚିଥିଲେ ହୁଏତ ୬୨ ବର୍ଷର ହୋଇଥାନ୍ତା। ମୋଠୁ ବର୍ଷେ ବଡ଼ ଥିଲା।
ଛନ୍ଦା ସହ ପରିଚୟ କଟକରୁ। ୧୯୮୧ ମସିହା – ଆମ ଦୁହିଁଙ୍କ ସଂପର୍କୀୟ ଜୀବନର ଆରମ୍ଭ। ମୁଁ ରହୁଥାଏ ଚାନ୍ଦିନୀଚୌକରେ ଓ ସିଏ ଶିଶୁଭବନ ପାଖରେ। ସେ ଅସିତ ମୁଖାର୍ଜୀଙ୍କ ସହ ଗୋଟେ ସଂସ୍ଥାରେ ଚିତ୍ରଶିଳ୍ପୀ ତ ମୁଁ କେ ମହାପାତ୍ର ଆଣ୍ଡ୍ କୋ. ରେ ସହ-ସଂପାଦକ। ଦିହେଁ ପରସରକୁ ଜାଣିନଥାଉ, ହେଲେ ଗୋଟିଏ ହୋଟେଲ୍ରେ ଖାଉଥାଉ।
ଦିନେ ସେଇଠି ସଂଜବେଳେ ଦେଖାହେଲେ ଝଂକାରର ସମ୍ପାଦକ ସରୋଜ ରଂଜନ ମହାନ୍ତି। ମୋ କବିତା ସେତେବେଳକୁ ଝଂକାରରେ ଛପିଗଲାଣି। ଝଂକାର ସେତେବେଳେ ଓଡ଼ିଶାର ସବୁଠୁ ବଡ଼ ସାହିତ୍ୟ ପତ୍ରିକା। ଛନ୍ଦା ବି କିଛି କିଛି କବିତା ଲେଖୁଥାଏ।
ସରୋଜ ରଂଜନ ମହାନ୍ତି ଆମ ଦୁହିଁଙ୍କୁ ପରସ୍ପରକୁ ଚିହ୍ନାଇଦେଲେ। ସେଇଦିନରୁ ଛନ୍ଦା ଓ ମୁଁ ବଂଧୁ ହେଇଗଲୁ।
ମୁଁ ଲକ୍ଷ୍ନୌରେ ଥାଏ ୧୯୮୮ ମସିହାରେ। ଇଟିଭି ଷ୍ଟୁଡ଼ିଓ, ଭୁବନେଶ୍ବରରେ ଛନ୍ଦା ସେତେବେଳେ ଗ୍ରାଫିକ୍ ଆର୍ଟିଷ୍ଟ।ଲକ୍ଷ୍ମୌର ଇଟିଭି ଷ୍ଟୁଡ଼ିଓରେ ସେ ବର୍ଷ AIBD ଟ୍ରେନିଂ ହେଲା। ସାରା ଦେଶର ଛ’ଟି ଇଟିଭି ଷ୍ଟୁଡ଼ିଓର ପ୍ରଡ୍ୟୁସର, ସ୍କ୍ରିପ୍ଟରାଇଟର ଓ ଗ୍ରାଫିକ୍ ଆର୍ଟିଷ୍ଟ ସେଇଠି ଟ୍ରେନିଂରେ। ଛନ୍ଦା ପହଂଚିଲା ସେଇଠି। ଦିନେ ସଂଜରେ ଛନ୍ଦାକୁୁ ମୋ ଘରେ ଇଂଦିରା ନଗରରେ ଖାଇବାକୁ ଡାକିଲି। ସେଇଠି ଛନ୍ଦା କହିଲା ତା’ର ପ୍ରେମ କାହାଣୀ। ତାର ମାମୁଁ ଶ୍ରୀନିବାସ ଉଦ୍ଗାତାଙ୍କ ଝିଅ ସହ ପ୍ରେମ ହୋଇଯାଇଛି। ଛନ୍ଦା ସେତେବେଳେ “ଲଳିତା” କ୍ରମରେ କିଛି କବିତା ଲେଖିଥାଏ। ମତେ କିଛି କବିତା ଶୁଣେଇଲା।
ତା ପରବର୍ଷ ମୁଁ ବଦଳି ହୋଇ ଇଟିଭି ଷ୍ଟୁଡ଼ିଓ ଭୁବନେଶ୍ବରକୁ ଆସିଲି। ଛନ୍ଦା ତା ମାମୁଁ ଝିଅ ଭଉଣୀଜୁ ସମୟ କ୍ରମେ ବାହା ହୋଇଗଲା।
ଛନ୍ଦା ମୋ କବିତା ବହିର ପ୍ରଚ୍ଛଦ ଆଂକିବା କଥା ମୁଁ ମୋ ବହି ‘ଯେତେ ରଂଗର ଆକାଶ’ ର ଭୂମିକାରେ ଲେଖିଛି। ସେ ଥିଲା ମୋ ବଂଧୁ ସୁମନ୍ତ ଓ ମୋର ବଂଧୁ। ଅନେକ ସଂଜ ତା ସହ ସାମନ୍ତରାପୁରରେ ଗୋଟେ ଚାହା ଦୋକାନରେ ବିତିଛି।
ହଠାତ୍ ସ୍ତ୍ରୀ ସହ କଳିହେଲା ଓ ସ୍ତ୍ରୀ ରାଗିଯାଇ ବଲାଙ୍ଗୀର ଚାଲିଗଲା। ସେଇଠି ସିଲିଂ ପଂଖା ଝାଡ଼ୁ ଝାଡୁ କରେଂଟରେ ସେ ମରିଗଲା। ଛନ୍ଦା ଦି’ ଦିନ ମଦ ପିଇ ପାଗଳ ଭଳି ସହରଯାକ ବୁଲିଲା ଓ ଆତ୍ମହତ୍ୟା କରିଦେଲା। ତାଂକର ପିଲାଟିଏ ହୋଇଥିଲା। ପିଲାର କ’ଣ ହେଲା ଜାଣେନାହିଁ। ମୁଁ ଏକ ସମୟରେ ଛନ୍ଦା ଓ ସୁମନ୍ତକୁ ହରାଇଲି। ସୁମନ୍ତ କୁଆଡ଼େ ଗଲା ଯେ ଫେରିଲାନି। ଛନ୍ଦା ବଞ୍ଚିଥାଆନ୍ତା ହେଲେ, ମୁଁ ତା ଠାରୁ ଭଲ ଅକ୍ଷର ଶିଖନ୍ତି। ସୁନ୍ଦର ଅକ୍ଷର ଥିଲା ତାର। ତାକୁ ଦେଖି ଆମେ ସୁନ୍ଦର ଅକ୍ଷର ଲେଖିବାକୁ ଚେଷ୍ଟା କରୁଥିଲୁ। ସେ ଗଲା। ମୋ ଅକ୍ଷର ବି ସମୟ କ୍ରମେ ଗଲା।