ଆଲୋକ କୁମାର ପ୍ରଧାନ, ପୁରୀ, ୧୪ ଅଗଷ୍ଟ ୨୦୨୩
କେବେ ସିଏ ବାଟ ହୁଏ ଛାଇ ହୁଏ ବରଗଛ ପରି
ଛାତ ହୁଏ ଛତା ହୁଏ ମଧ୍ୟାହ୍ନର ଖରାରେ ବତୁରି
କେବେ ସେ ତରଳି ଯାଏ ତିଳଟିଏ ଭାବର ଦରଜେ
ତୁଳା ପରି ତୂଳୀ ହୁଏ ତୁଟିତୁଟି ବାରବାର ହଜେ ।
ଗମାତେ ଗଗନ ଛୁଏଁ ବିଷାଦର ପାଏ ନାହିଁ ଆଖି
କୋଉଠି ପଡ଼େନି ଧରା ସବୁଥିରେ ରହିଥାଏ ସାକ୍ଷୀ
ସ୍ବପ୍ନ ଦିଏ ନିଦ ଦିଏ ଢ଼ୋକି ଦେଇ ନିଦାଘ ପସରା
ସୁଖ ବେଉଷଣ କରି ରୋଉ ଥାଏ ମମତାର ଚାରା ।
କେମିତି ପଖାଳି ପାରେ ଅନାୟାସେ ନିଜକୁ ମୋ ପାଇଁ
କେମିତି ସେ ଲୋଟିପାରେ ମୋ ସୀମାରେ ନଈଟିଏ ହୋଇ
ନୀରବେ ସମ୍ଭାଳି ନିଏ ପଢିପାରି ମୋ ନୀରବତାକୁ
ମିଛେ ଶୁଏ ମିଛେ ଖାଏ ମୋ ଅଭାବେ ଭାବ ଭରିବାକୁ।
ବନ୍ଧୁତା କୂଳରେ ବସି ଜୀବନକୁ ସାଉଁଳୁ ସାଉଁଳୁ
ବନ୍ଧୁ ପାଇଁ ସ୍ବର୍ଗ ମିଳୁ ଜୀବନରେ ଅବା ନର୍କ ମିଳୁ ।