ଆଲୋକ କୁମାର ପ୍ରଧାନ, ପୁରୀ, ୨୦ ମଇ ୨୦୨୪
ମୋ ପାଦ ଭୂଇଁରେ ଟାଣ କରୁକରୁ ଟାଣପଣ ଇଡିଦେଇ ।
ଆଡେଇ ଦିଅନ୍ତି ଅଡିବସିଥିବା ଦୁଃଖର ଭୋକିଲା ନଈ ।।
ଆଡରୁଷା ତଳେ ଆପଣାର ସୁଖ ଅଳପରେ କରେ ନାଇଁ।
ହାତ ନବଢ଼େଇ ଚାହିଁଦେଲେ ଥରେ ମୋ ପାଖେ ଦିଅନ୍ତି ଥୋଇ।।
ମୋ ଆଖିଲୁହର ଅଧିରଧାରଟେ ତାଙ୍କ ଆଖି ଦେଇ ବହେ ।
ମୋ ପେଟକୁ ଭୋକ ଛୁଉଁ କି ନ ଛୁଉଁ ତାଙ୍କ ମନ ଆଗ ଛୁଏଁ।।
ଶେଷ ମୋ ଶୋଷକୁ ଛୁଏଁ କେତେବେଳେ ଆରମ୍ଭ ଆଗରୁ ମରେ।
ମୋ ପାଦ ଥକେନା ମୋ ମଥା ନୁଏଁନା ସିଏ ଥିଲେ ମୋ ପାଖରେ ।।
ତିଳଚିହ୍ନଟିଏ ହୋଇ ରହିଥାନ୍ତି ସବୁର ସାରାଂଶ ହୋଇ ।
ପାଦକୁ ଶିଡିଟେ ମନକୁ ଭାଡିଟେ ଅଭାବରେ ଭାବ ହୋଇ।।
ପୃଷ୍ଠବନ୍ଧ ହୋଇ ମୋ “ଜୀବନୀ” ପାଇଁ ଜୀବନିକା ନିଜେ ସିଏ।
ଦୁଆରେ ଥିଲେ ସେ ମୁଁ ରାଜକୁମାର ରାଜବାଟୀ ଘର ହୁଏ।।
ବାପା ମୋ ଆକାଶ ବାପା ସବିଶେଷ ବାପା ମୋ ଏରୁଣ୍ଡିବନ୍ଧ।
ବାପା ଥିଲେ ଭୋକ ବାପା ଥିଲେ ଶୋଷ ବାପା ଡାକ ମକରନ୍ଦ।।