ସସ୍ମିତା ପଣ୍ଡା, କଟକ, ୧୩ ନଭେମ୍ବର ୨୦୨୨
ତୁମେ ଫେରୁ ଫେରୁ ମନ ଗହନରୁ
ଭାବନାର ଆଢୁଆଳେ ।
ମାନ ଅଭିମାନ ସତେଜତା ମାଖି
ସଜହୁଏ ଯେତେବେଳେ ।।
ଅନେକ ଇଚ୍ଛାକୁ ଶବ୍ଦ ଗହଣାରେ
ସରୁ ତାରକସି କାମ ।
ମାନସ ମନ୍ଥନେ ଚେତନା ସଜାଏ
ଅନୁଭବେ ସୂକ୍ଷ୍ମ ନାମ ।।
ଝରିଝରି ଆସେ ତନ୍ମୟ ତରଙ୍ଗ
ବିଭୁତିର ଚାରୁଶୀଳା ।
ଅମୀୟ ଧାରାରେ ଆଙ୍କିଛି ଅନେକ
ରୋମାଞ୍ଚିତ କମକଳା ।।
ଧରୁଧରୁ କେବେ ପରିଚିତ ରୂପ
ସମୟର ଚିବୁକରେ ।
ତିଳଚିହ୍ନ ଚିତ୍ର ହୋଇଛି କାହାଣୀ
କେବେ ଝରା ବଉଳରେ ।।
ମୁଠାଏ ସ୍ପନ୍ଦନ ଆମନ୍ତ୍ରଣ କରେ
ସପନର ସରୁନଈ ।
ପ୍ରତି ଉଲ୍ଲାସରେ ଉଜାଣି ବହିଛି
କଲମରେ କାଳି ହୋଇ ।।
ନିଃଶବ୍ଦ ଲଗନେ ସାରସ୍ବତ କଳା
ଚିନ୍ମୟୀ ମହକ ଦିଶା ।
ଓଠର ଉହାଡେ ଓହ୍ଲାଇ ଆସିଛି
ହସ ତାର ମଧୁମିଶା ।।
ନୀଳ ଅବନ୍ତିକା ନିବିଡ଼ତା କୋଳେ
ନିଃଶବ୍ଦରେ ପୂଜାର୍ଚ୍ଚନା ।
କୋଟି ଦେବତାଙ୍କ ଗହଳ ଚହଳ
ମଗ୍ନ ମାଜଣାର ସୀମା ।।
ଭିଜିଗଲା ପରେ ଭିନ୍ନତା ଭିତରୁ
ବିବର୍ତ୍ତନ କାଗଜରେ ।
ବାସ୍ତବ ଛବିରେ ଶବ୍ଦ ପାରିଜାତ
ଅପହଞ୍ଚ ଇଲାକାରେ ।।
ଅନ୍ତର ମର୍ମରୁ ନିଗିଡି ଆସିଛି
ଶବ୍ଦ ଶିଳା ଅଭିଯାନ ।
ଭାବର ଉଦିତ ମହାଲଗନରେ
ହୋଇଯାଏ ଶାଳଗ୍ରାମ ।।
ତୁମେ ତ ଏମିତି ଉଦ୍ଭାସିତ ସ୍ବପ୍ନ
ତିନ୍ତା ଆଖିପତା ମେଘ ।
ସତ୍ୟରୁ ସତ୍ୟକୁ ଅଜାଡି ହେଉଛି
ଅନ୍ତଃସ୍ବର ଭାବାବେଗ ।।
ଭାବନାର ସେଇ ଜନ୍ମବେଦୀ ଛୁଇଁ
ଶବ୍ଦ ବ୍ରହ୍ମ ନିରାଜନା ।
ପୁରବୀ ରାଗରେ ଅୟୂତ ଆବେଗ
ହେଉଥାଉ ଆରାଧନା ।।