ଆଲୋକ କୁମାର ପ୍ରଧାନ, ପୁରୀ, ୫ ଫେବୃଆରୀ ୨୦୨୪
ଯା’ଆଶ୍ରାରେ ଚାଲୁଚାଲୁ ବାଟ ଯମା ଭୁଲିବାର ନାହିଁ।
ବିଶ୍ବାସ ବଟୁଆ ଫାଙ୍କୁ ଆତ୍ମତୃପ୍ତି ଉଙ୍କି ମାରୁଥାଇ।।
ଯା’ସାଙ୍ଗରେ ଚାଲୁଥିଲେ ପରିଚୟ ଦେବାକୁ ପଡ଼େନା।
ତୁଣ୍ଡରେ ଥିଲେ ସେ କେବେ ବ୍ଯକ୍ତିତ୍ବରେ ପରଳ ଲାଗେନା।।
ଠିକଣା ହୋଇ ମୋ ସିଏ ପାଖଛଡ଼ା କରେନାହିଁ କେବେ।
ଶଙ୍କଟ ଅଗିରା ଟାଳି ପରିଚୟ ସଜାଡ଼େ ସରାଗେ।।
ତା ଦମ୍ଭର ଦିହୁଡିରେ ବାଟ ଦିଶେ ତୋଫା ଭାରି ତୋଫା।
ତା’ସହିତ ସବୁ କଥା ବିନା ଦ୍ବନ୍ଦେ ଖାଲି ରଫାଦଫା।।
ଭାବର ଦର୍ପଣ ସିଏ ଆବେଗର ଛଳଛଳ ପଣ।
ଜାତିର ଅସ୍ମିତା ସିଏ ବ୍ଯକ୍ତିତ୍ବର ବଡ଼ ଟାଣପଣ।।
ଯେ’କୋଣେ ଜୀବନ ଥାଉ ଛାଇପରି ରହିଥାଏ ସିଏ।
ଯେଉଁଠି ଭେଟିଲେ ତାକୁ ବୋଉ ବୋଉ ପରି ଲାଗୁଥାଏ।।
ମୋ ଭାଷା ମୋ ଭବିଷ୍ୟତ ପରିଚୟ ମୋ ସାରା ବିଶ୍ବାସ।
ଭାଷା ମୋ ଜୀବନଶକ୍ତି ମୋ ଦେହର ପ୍ରତିଟି ନିଃଶ୍ବାସ।।