ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୪
ତୁମେ ପରା ପ୍ରଭୁ ବିଶ୍ୱ ନିୟନ୍ତା ?
ଆର୍ତ୍ତ ଜନଙ୍କର ତ୍ରାଣ କରତା
ଅତଳ ସାଗରେ ଅମୂଲ୍ୟ ମୁକ୍ତା
କେମିତି କଳିବି ତୁମରି ସତ୍ତା ? ।। ୧ ।।
ତୁମେ ଭାଗବତ, ପୁରାଣ, ଗୀତା
ସଂସାର ବନ୍ଧନ ମିଛ ମମତା
ଗର୍ବ, ଅହଙ୍କାରେ ମଣିଷ ପୋତା
ତୁମ କୃପା ବିନା ବୁଡ଼ିବ ଚେତା ।। ୨ ।।
ଦୂର କର ପ୍ରଭୁ ତୁମ ଦୂରତା
ଖରା, ବରଷାକୁ ତୁମେ ହିଁ ଛତା
ଜୀବନ ଦୀପର ତୁମେ ସଳିତା
ଖୋଜି ପାଉନାହିଁ ନିଜର ପତ୍ତା ।। ୩ ।।
ତୁମେ ବାଲିଚର ମୁଇଁ ସିକତା
ତୁମରି ବସ୍ତ୍ରର ଛୋଟିଆ ସୂତା
ହୋଇଯିବି ତୁମ ପାଦ ଅଳତା
ନାମ ଜପି ହେବି ଜଗତ ଜିତା ।। ୪ ।।