ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୨ ଜାନୁୟାରୀ ୨୦୨୬
ଭାରତୀୟ ଧର୍ମ ଦର୍ଶନର ତୁମେ
ପ୍ରାତଃ ସ୍ମରଣୀୟ ବାର୍ତ୍ତା ବହ
ସନାତନ ଧର୍ମ ମୂଳ ତତ୍ତ୍ୱ କହି
ବିଶ୍ୱେ ଦେଲ ଭିନ୍ନ ପରିଚୟ।
ଭାଇ ଭଉଣୀ ର ସମ୍ବୋଧନେ ଜାତ
ବିଶ୍ୱ ଭାତୃତ୍ୱର ଭାବ ଧାରା
ଏହା କହି ତୁମ ନମ୍ର ବକ୍ତବ୍ୟରେ
ବାନ୍ଧି ଦେଲ ଜନ ବିଶ୍ୱ ସାରା।
“ଧରମ ନୁହଁଇ ବଟିକା ଟିଏ ଯେ
ପଥି ପରି ଯାହା ଦେବ କାମ
ଶୁଦ୍ଧ ଆଚରଣ କରୁଥିଲେ ନିତ୍ୟ
ତାହାହିଁ ହୋଇବ ପ୍ରକୃତ ଧର୍ମ”।
ତୁମ ଏହି ବାଣୀ ପ୍ରଣିଧାନ ଯୋଗ୍ୟ
ଥିଲା ରହିଥିବ ଶାଶ୍ୱତ ହୋଇ
ମହାଭାରତୀୟ ଚେତନା ର ଦୂତ
ତୁମକୁ ଶ୍ରଦ୍ଧାରେ ବିଶ୍ୱ ପୂଜଇ।
ସର୍ବୋତ୍ତମ କାର୍ଯ୍ୟ କରିବା ପାଇଁକି
ଯୁବକ ସମୟ ସର୍ବୋତ୍କୃଷ୍ଟ
ସେହି ସମୟକୁ ସୁକର୍ମେ ଲଗାଇ
ହୋଇଗଲ ତୁମେ ଯୁବକ ଶ୍ରେଷ୍ଠ।
ତୁମର ଜୟନ୍ତୀ ଦେଶ ଯୁବକଙ୍କୁ
ହୋଇଯାଇଅଛି ସମର୍ପିତ
ଆଜି ସେହି ପୂତ ଦିବସରେ ସ୍ୱାମୀ
ତୁମକୁ ସହସ୍ର ପ୍ରଣିପାତ।
**
ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ଅବସରରେ।






