ଆଲୋକ କୁମାର ପ୍ରଧାନ, ପୁରୀ, ୭ ମଇ ୨୦୨୪
କିଛି ସ୍ବପ୍ନ ଲମ୍ବିଥିଲା ରାସ୍ତାପରି ଶୂନଶାନ ଦି ପହର ଦେହେ।
କିଛି କଥା ସ୍ବପ୍ନପରି ମରୁଥିଲା ସରୁଥିବା ଚଲାବାଟ ମୋହେ।।
କିଛି ତ ଅଲଗା ଥିଲା ଲାଗୁଥିଲା ଅନ୍ତରଙ୍ଗ ଖୁବ୍ ପାଖାପାଖି।
ଦୋ ଦୋ ଚିହ୍ନା ଲାଗୁଥିଲେ ନକହି ବି କିଛି ଥିଲେ ଆଗପରି ସାକ୍ଷୀ।।
କିଛି ଗୀତ ଗୀତା ପରି ବାସୁଥିଲେ ସେସମୟେ ମୋକ୍ଷର ବାସ୍ନାରେ।
ସମୁଦ୍ରେ କ୍ଷୁଧାର ଦ୍ବାର ପୂଣ୍ଯ ପରି ଦିଶୁଥିଲେ ପାପ ଗୁମୁଟରେ।।
ଦରୁଟିଆ ନିକିତିରେ ତୁଳିତୁଳି କଞ୍ଚାମିଶା ପାଚିଲା ସମୟ।
ଗାମୁଛାରେ ଜଳନେବା ଜିଦ୍ ପରି ଲାଗୁଥିଲେ ଭାରି ଜିଦିମୟ।।
କିଛି ଅଙ୍ଗେନିଭା କଥା ଅଙ୍ଗଲାଗି ସେବାପରି ପ୍ରାଣମୟ ଥିଲେ।
କିଛି କଣ୍ଟ ଦେଇଯାଇ ଦୁଆରେ ବସେଇ ଦେଇ ପାଣିଆଣି ଗଲେ।।
କିଛି କଥା ଗପ ହେଲେ ଆଉ କିଛି ଲାଗୁଥିଲେ କବିତା କବିତା।
କେନ୍ଦୁପରି ମିଠା କିଛି କିଛି ଲାଗୁଥିଲେ ମତେ ସେ କୁଆମଇତା।।
ବିତିଲାଦିନ ତ ବିତେ ରହେ କିଛି ଖାସ୍ ଗୋଟେ ବତୀଖୁଣ୍ଟ ପରି।
ହଜିବା ଖୋଜିବା ପାଇଁ ଗୋଟିଏ ଠିକଣା ହୋଇ କରୁଥାଏ ପାରି।।