ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ଜାନୁଆରୀ ୨୦୨୩
ବୋଉ ମୋର ଏକ ଅବୁଝା ଗଣିତ ତା ସୂତ୍ର ସେ ନିଜେ ଜାଣେ।
ମୋତେ ବୁଝିବାର ସହଜ ବାଟ ଟି ସେ କେମିତି ଅବା ଜାଣେ।
ସିଏ ଚିହ୍ନି ପାରେ ସଭିଙ୍କର ପେଟ ତା ପେଟ ହୁଏନା ଚିହ୍ନି।
ମୁହଁ ଦେଖିକରି ମାପି ପାରେ ଭୋକ ଶୋଷ ଦେଖି ଦିଏ ପାଣି।
ସେ ତଉଲି ପାରେ ତିଳଟିଏ ଦୁଃଖ ତାଳୁରୁ ତଳିପା ଚାହିଁ।
ଅଭଙ୍ଗା ଦେହରେ ଶହେ ଭାଗ ହୋଇ ତା ଲୟ ହଟାଏ ନାହିଁ।
ହଟେନି ତା ପାଦ ନିତି ରଟୁଥାଏ ପେଟେ ଓଦାକନା ଦେଇ।
ଗିନେ ତୋରାଣିରେ ଗଗନେ ମମତା ବତୁରାଇ ଥାଏ ଚାହିଁ।
ସବୁ ବୋଉମାନେ ଥକନ୍ତିନି ବୋଲି ଦୁଃଖ ତାଙ୍କ ପାଖେ ହାରେ।
କେଉଁ ଉପାଦାନେ ଗଢା ସବୁ ବୋଉ ଅସମୟ ରୁହେ ଦୁରେ।
ବୋଉ କେବେ ଶୁଏ ବୋଉ କେବେ ଖାଏ ତା ଖବର ସିଏ ଜାଣେ।
ମୋ ନିତି ଦିନର ଖବର ତା’ପାଖେ ମୋ ବୋଉ କୋଟିରେ ଜଣେ।
ବୋଉ ଗୀତଟିଏ ବୋଉ ଗପଟିଏ ବୋଉ ମୋ ଗଜଲ ଖିଏ।
ବୋଉକୁ କା ସହ ତୁଳନା କରନି ମୋ ବୋଉ ପରା ସିଏ।