ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୩ ଜାନୁଆରୀ ୨୦୨୪
ମୁଁ ଜାଣେନା ତୁମେ ମୋତେ
କେତେ ଭଲ ପାଅ,
ଜାଣେନା ବି ମୋତେ ତୁମେ
ଭଲ ପାଅ କି ନପାଅ ।
ତଥାପି ପାଉଛି ଭଲ
(ତୁମକୁ) ଅତି ନିବିଡ଼ ଭାବରେ,
ଯା’ର ଗଭୀରତା ମାପିବା
ମୋର ସାମର୍ଥ୍ୟ ବାହାରେ ।
(ତେବେ) ଏତିକି ମୁଁ କହିପାରେ –
ତୁମ କଥା ଭାବୁ ଥାଏ
ଦିନ ଓ ରାତିରେ,
ଇଚ୍ଛା ହୁଏ ଭିଜିବାକୁ
ତୁମରି ସ୍ମୃତିରେ ।
ଲଭିବାକୁ ଚାହେଁ ତୁମକୁ
ମୋ ହୃଦୟ ଭିତରେ,
ମଜିବାକୁ ମନ ବଳାଏ
ତୁମ ବିମଳ ପ୍ରେମରେ ।
(ତୁମ) ରହସ୍ୟ ଭେଦି ପାରୁନି
ଏଇ ଅତଳ ସାଗରେ,
ବୁଝି ପାରୁନି ତୁମକୁ
ଜନ୍ମ ଜନ୍ମାନ୍ତରେ ।