ଆଲୋକ କୁମାର ପ୍ରଧାନ, ପୁରୀ, ୩୦ ଡିସେମ୍ବର ୨୦୨୪
ଏମୁଣ୍ଡୁ ଡାକିଲେ ସେ ମୁଣ୍ଡେ ଶୁଭେନି ବେଳେବେଳେ ଯଦି ଶୁଭେ
ଏମୁଣ୍ଡ ନିଆଁରେ ସେ ମୁଣ୍ଡ ଡିବିରି ଲାଗୁ ଲାଗୁ ଯଦି ଲିଭେ
ଏଭାଗେ ଭାବିଲା କଥାମାନ ଯଦି ଆରଭାଗେ ଭୁଲ୍ ହୁଏ
ବୁଲାଣି ବୁଲିଲେ ସମୟ ଛାତିରେ ବୁଲାଣିର କିବା ଯାଏ?
ଶେଷ ମାସଟାର ଶେଷ ତାରିଖଟା ବୁଲାଣି ବୁଲିଲେ ଗଲା
ଏସନ ଉଜିଆଁ ଖଇରାତ ଧାନ ଆରସନ ରୁଆ ହେଲା
ବଅଁପଡିଆକୁ ବାଆଁ ପଟେ ଖୋସି ବାଆଁରେଇ ଯିଏ ଯାଏ
ତାଆର ଦୋଷ କି ବୁଲାଣିର ଦୋଷ କହିବାକୁ ଆମେ କିଏ?
ମୋଡବୁଲା କଥା ହିଡରେ ଥାଏ କି ଅପେକ୍ଷିଲେ କିବା ଲାଭ
ଆଗଚଲା ପାଦେ ଲଗାମ ଲାଗିଲେ ବୁଲାଣିଠି ଭାରି କ୍ଷୋଭ
ଢେଙ୍କାଦିଆ କଥା ଡଙ୍କେଇ ହେବାକୁ ବୁଲାଣିଟା ଭାରି ସହେ
ସଳଖଚାଲିକୁ ଟାପେରା ଅଧିକ ବୁଲି ଚାହିଁଦେଲେ ଯାଏ
ବୁଲାଣି ବୁଲିଲେ ଚିହ୍ନା ଅଚିହ୍ନାର ମଲାଟ ମନେ ନଥାଏ
ତଥାପି ବୁଲାଣି କା’ ଟିପାଖାତାରେ କଳନ୍ତର ହୋଇ ଥାଏ।।