ଆଲୋକ କୁମାର ପ୍ରଧାନ, ପୁରୀ, ୩ ଜୁନ୍ ୨୦୨୪
ଚାଲୁଚାଲୁ ଚାଲିଲି ମୁଁ ଏତେ ବାଟ ଜୀବନ ରାସ୍ତାରେ।
ଚାଲୁଥିଲି ଝୁଣ୍ଟୁଥିଲି ଉଠିପଡ଼ି ପୁଣି ଚାଲୁଥିଲି।।
ଶୁଣୁଥିଲି ବାଟକଥା କହୁଥିଲା ତା ନିଜ ଢଙ୍ଗରେ ।
ତାକୁ ହାଲ୍କା ଲାଗୁଥିଲା ମୁଁ ଶୁଣିକି ଓଜନିଆ ହେଲି ।।
କେମିତିକା ସରେ ରାସ୍ତା ସାରୁଥାଏ ନିଜକୁ ଅଧାରୁ ।
କେମିତିକା ଭୁଲୁଥାଏ କେଉଁଠାରୁ ଆରମ୍ଭ ଓ ଶେଷ।
କେମିତି ସେ ଭୁଲ୍ ହୁଏ ଠିକ୍ ଥାଇ ନିଜ ଆରମ୍ଭରୁ।
ଶୋଷ ପାଇଁ ପାଣି ହୋଇ ଶେଷରେ ସେ ହୁଏ ଅବଶୋଷ।।
ଚାଲୁଥିଲି ଭେଟୁଥିଲି ନିଜକୁ ମୁଁ ଅନ୍ଯଠାରୁ ବେଶି ।
ନିଜେ ଏବେ ବାଟଟିଏ ବାରବାଙ୍କେ ସହସା ଧାଉଁଛି।
ଯେ ବାଟେ ଆସିଲି ଧାଇଁ ଏବେ ମୋତେ ଦେଉଛି ଆଉଁସି।
ବାଟେ ଯିବା ବାଟ ହେବା ନିଶା ମୋତେ ଆବୋରି ବସିଛି।
ଚାଲୁଥିଲେ ଚାଲୁଥିବ ନ ଚାଲିଲେ ଚଲେଇବ କିଏ?
ତୁମପାଇଁ କା ଗରଜ କାହାର ବା କିବା ଆସେ ଯାଏ ??