ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ନଭେମ୍ବର ୨୦୨୫
ଚାଷୀକୁ କହୁଛୁ ଅନ୍ନଦାତା ଆମେ
କୃଷିକୁ ବୋଲାଉ ମୁଖ୍ୟ ବେଉସା,
ଧାନ ଛଡା ସବୁ ଖାଦ୍ୟ ଶସ୍ୟ ପାଇଁ
ଅନ୍ୟଠି କରୁଛୁ ଆମେ ଭରଷା ।।୧।।
ଉର୍ବର ଭୂଖଣ୍ଡ ଅପର୍ଯ୍ୟାପ୍ତ ଜଳ
ଭରି ରହିଅଛି ଆମ ରାଜ୍ୟରେ,
ତଥାପି କାହିଁକି କୃଷି ଉତ୍ପାଦନେ
ଆମେ ରହିଅଛୁ ଏତେ ପଛରେ ।।୨।।
କୃଷିକୁ ଉନ୍ନତ ଚାଷୀକୁ ସଶକ୍ତ
କରିବାକୁ ପଡେ ଏଠି ସ୍ଲୋଗାନ,
ଦରଦୀ ପଣର ଅଭାବ ଯୋଗୁଁରେ
ଲାଘବ ହେଉନି ଚାଷୀ ଦୁର୍ଦ୍ଦିନ ।।୩।।
କୃଷି ଅଛି ଯାର କି ଆନନ୍ଦ ତାର
ଏକଦା ଥିଲାରେ ଆମରି ଗୀତ,
ବଦଳି ଯାଇଛି ସେ ଗୀତର ଶବ୍ଦ
ସ୍ୱର, ତାଳ ଆଉ ଛନ୍ଦ ସହିତ ।।୪।।
ଚାଷୀ ପାଉନାହିଁ ତା’ ଶ୍ରମର ମୂଲ
ସେଥିପାଇଁ କେହି ନୁହେଁ ଚିନ୍ତିତ,
ମଣ୍ଡି ଧାନ ବିକ୍ରୀ କଟିନି ଛଟନି
ଭିତରେ କେବଳ ଚର୍ଚ୍ଚା ସୀମିତ ।।୫।।
ଘୁମୁରି ଘୁମୁରି କାନ୍ଦୁଛିରେ ଚାଷୀ
ତା’ ଦୁଃଖ କାହାକୁ ପାରୁନି କହି,
କଷ୍ଟ ଦୂର ହେବା ଆଶାରେ ବଞ୍ଚି ସେ
ସକଳ ଯାତନା ଯାଉଛି ସହି ।।୬।।






