ଆଲୋକ କୁମାର ପ୍ରଧାନ, ପୁରୀ, ୨୧ ଅପ୍ରେଲ ୨୦୨୫
ଚିରି ଚିରି ଚରୁଥାଏ ମାଟି ଗର୍ଭୁ ଆକାଶ ଛାତିକୁ
ଏକାଙ୍ଗେ ସଞ୍ଚରୁଥାଏ ଭାବ ସଙ୍ଗେ ଅଭାବ ରଙ୍ଗକୁ
ମାଟି ସାଙ୍ଗେ ମାଟି ହୁଏ ଆକାଶରେ ଆକାଶେ ଆକାଶ
ଭରସାର ଫୁଲ ଫୁଟେ ଫଳେଫଳେ ଫଳଇ ବିଶ୍ୱାସ
ଚେରର ଦମ୍ଭିଲାପଣ ଠିଆକରେ ନୁଆଇଁ ଦିଏନି
ଚିରେଇତା ମଞ୍ଜି ଗିଳି ମିଠାପଣେ ନିଅଣ୍ଟ କରେନି
ପାଖେଥିଲେ ପାଖେ ଥାଏ ନଥିବାକୁ ହୁଏ ପାଖଛଡା
ଟିକକୁ ସେ ଟାକି ଥାଏ ଦିଏନି ସେ ଜମା ଖାପଛଡା
ମାଟି ପିନ୍ଧେ ମାଟି ଫାନ୍ଦେ କେବେ ତାକୁ ମାଟି ପିନ୍ଧି ଦିଏ
ଗୋଡ଼କୁ ଲମ୍ବଉ ଥାଏ ଯେବେ ସିଏ ମାଟି ଗନ୍ଧ ପାଏ
ତା’ପାଇଁ ଜୀଏଁ ସେ କେବେ କେବେ ଚାହେଁ ନିଃଶ୍ବାସ ନେବାକୁ
ନିଜ ଦେହେ ସଞ୍ଚିସଞ୍ଚି ଜୀବନର ବଳକା ପଣକୁ
ଚେର ଟାଣ କଥା ଟାଣ ଜୀବନଟା ବେଖାତିର୍ ହସ
ଚେରରେ ଜୀବନ ଲେଖେ ଖୁବ୍ ଗୋଟେ ଭୋଗିଲା ବୟସ।।