ଆଲୋକ କୁମାର ପ୍ରଧାନ, ପୁରୀ, ୧୨ ଡିସେମ୍ବର ୨୦୨୩
ଖୋଲିଗଲେ ଖୋଲିଯାଏ ଶବ୍ଦ ପଛେ ଲୁଚିଥିବା ଭାବ ।
ଶବ୍ଦରୁ ଶବ୍ଦକୁ ଯେବେ ଡେଉଁଥାଏ କିଛି ଅନୂଭବ ।।
ଅନୂଭବ ଅନୁସରି ସରୁଥାଏ କଲମରୁ କାଳି ।
ନଖୋଲିଲା ଯାଏଁ ଚିଠି ଭାବ ଖାଲି ଖେଳେ ଲୁଚକାଳି ।।
ପାଖୁଡ଼େ ମହକ ନେଇ ଫେରୁଥିବା ଚିଠି ଅପେକ୍ଷାରେ ।
ରାତିପାହେ ନାହିଁ କେବେ ଦିନସରେ ନିଜଠାରୁ ଦୁରେ ।।
ଲେଉଟାଣି ବାରବାଙ୍କେ ଝୁଣ୍ଟୁଥାଏ ଟୁକୁଡ଼ାଏ ମୋହ ।
ଚଉତେ ଚିଠିକୁ କେବେ ଗିଳିଦିଏ ଅସରା ବିରହ ।।
ଗୋଲାପି ପାଖୁଡ଼ା ଦେହେ ରକ୍ତ ଶୁଖି ଅକ୍ଷର ହୋଇଲେ ।
ଛାତିର ଛନକା ସବୁ ଛିଟପରି ଛାଇ ଲେଖୁଥିଲେ ।।
ଛାଇ ଛାତି ଚିରି ଯେବେ ଛାତପରି ଆଶ୍ରୟ ଜୁଟେଇ ।
ଚିଠି ବି ଚହଟେ ଚାରିଭାଙ୍ଗ ଦେହେ ବିଶ୍ବାସଟେ ହୋଇ ।।
ବିଶେଷ ବିଶେଷାଙ୍କରେ ଚିଠି କେବେ ଥାଉ ବା ନଥାଉ ।
ଚିଠି ତ ଅମରାବତୀ ନିଃଶ୍ବାସେ ମୋ ଅମରତ୍ବ ପାଉ ।।