ଆଲୋକ କୁମାର ପ୍ରଧାନ, ପୁରୀ, ୨୮ ଅପ୍ରେଲ ୨୦୨୫
ଡାଳେଇ ଗଲେ ସେ ଡାଳଡାଳ ହୋଇ ପାକଳ ହୁଅଇ ଆଶା
ମୂଳ ଚାହିଁ ମାଳେ ମେଳି ନବାନ୍ଧିଲେ ବଦଳଇ ପରିଭାଷା
ଡାଳ କାଟି ଦେଲେ ମୂଳେ ପଡ଼େ ବୋଲି ସବୁ ବିଡ଼ମ୍ବନା ସହେ
ଡାଳ ପରଦେଶୀ ମୂଳକୁ ଭରଷି ଅଗ୍ରଲେଖ ହୋଇଯାଏ
ଆଗରେ ବଢ଼ିବା ଅଗରୁ ଛିଡିବା ଅଗ୍ରୀମ ପରିକା ବୁଡେ
ବାଟରେ ହେଉ କି ଅବାଟରେ ହେଉ ଆଗତୁରା ବାଟ ହୁଡେ
ବିସ୍ତାରି ଯିବାର ଦୂରନ୍ତ କାମନା ଦୂରକୁ ଦୂରକୁ ନିଏ
ଅଲୋଡ଼ା ବୈରାଗ୍ୟ ଛୁଉଁଛୁଉଁ ତାକୁ ଅକାଳରେ ଝଡ଼ିଯାଏ
ସ୍ବଛନ୍ଦପଣର ଚିରାପଣତରେ ଅସମାପ୍ତ ଅହଂ ସଞ୍ଚି
ନିଜେ ଜଳିଜଳି ପବନ ସୁରରେ ଆଣ୍ଟେ ଯାଉଥାଏ ବିଞ୍ଚି
ଅପହଞ୍ଚ ସ୍ବପ୍ନ ଅବସୋସ ହୋଇ ବ୍ୟତିକ୍ରମ ଯେବେ ହୁଏ
ଏଦିଗେ ସେଦିଗେ ଡାଳଉଥାଏ ସେ ଆତ୍ମମଗ୍ନ ହୋଇ ରୁହେ
ଡାଳଟିଏ ହେବା ଡାଳ ମେଳେ ଥିବା ନଥିବାକୁ ଭାରା କରି
ଏପାଖେ ପତର ଆରପାଖେ ମୂଳ ସୂତେ କି ହୁଅଇ ଧରି ??