ଆଲୋକ କୁମାର ପ୍ରଧାନ, ପୁରୀ, ୨୮ ଅଗଷ୍ଟ ୨୦୨୩
ନିଜକୁ ହରାଏ ନିଜେ ଖୋଜିବାର ନିଃସଙ୍ଗ ରାସ୍ତାରେ
ଅହର୍ନିଶ ଗାରଟାଣି ଲିଭୁଥାଏ ଆପଣା ସୃଷ୍ଟି ରେ ।
ପାପପୂଣ୍ଯ ଟିପାଖାତା ଟୋପେ ଲୁହେ ବତୁରାଇ ଦେଇ
ଘଡାଭରେ ଖାଲିକରେ ଖାଉନ୍ଦ ର ଖୋଳପା ମୁଣ୍ଡେଇ।
ଆଗର ସମୟ ଦେହେ ହସ୍ତାକ୍ଷର ଛାଡି ଯିବାପାଇଁ
ପୁରୁଥାଏ ପଣବନ୍ଦୀ ଆୟୃଷକୁ ପର ଜିମା ଦେଇ
ଛାଇ ଭାଙ୍ଗି ଛାଇ ସହ ଆଗତୁରା ବୁଝାମଣା ପରେ
ନିଜକୁ ବି ନିଜଠାରୁ ଦୁରେଇକି ରଖେ ଗୋପନରେ।
ଅବୁଝା ଅଙ୍କ ର ସୂତ୍ର କେବେ ସିଏ ବୁଝିଲା କବିତା
ପ୍ରଗଳ୍ଭ ଶୂନ୍ଯତା ଦେହେ ଅର୍ଥହୀନ ଅନ୍ଯମନସ୍କତା
ଏମିତିକା ଲାଜ ସିଏ ଢାଙ୍କି ହୁଏ ଢାଙ୍କି ହୁଏ ନାହିଁ
ଶେଷ ହୁଏ ଆରମ୍ଭ ର ଶବିଶେଷ ମଥାନରେ ଥାଇ।
ଦେହ ଗୋଟେ ଦୀପଦଣ୍ଡୀ ବାରବାର ଦିଗ ହୁଡୁଥାଏ
ମୋକ୍ଷର ଆକାଶ ଲୋଡ଼େ ମାଟି ଦେହେ ପାଦଥାପିଥାଏ।