ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୦ ମଇ ୨୦୨୫
ସ୍ୱାର୍ଥପର ଦୁନିଆଁରେ କିଏ ବା କାହାର,
ସେ କିନ୍ତୁ ଥିଲା ଆମର ଏକାନ୍ତ ନିଜର।
ନଥିଲା ତା’ସହ କିଛି ସମ୍ପର୍କ ରକ୍ତର,
ତଥାପି ବନ୍ଧନ ଥିଲା ଅପାର ମଧୁର।
ସିଏତ ନଥିଲା ଆମ ଭାଇ, ବିରାଦର,
ତା’ ବିନା ଆମେ ଏଠାରେ ସମସ୍ତେ ଅଧୀର।
ଅସହ୍ୟ ହେଉଛି ବେଦନା ତା’ ବିଚ୍ଛେଦର,
ଯେହେତୁ ସେ ଥିଲା ଆମ ପ୍ରାଣର ସୋଦର ।।୧।।
ପ୍ରାଣ ଭରି ସଭିଙ୍କୁ ସେ ଭଲ ପାଉଥିଲା,
ଅକପଟ ଶରଧାରେ ବାନ୍ଧି ରଖିଥିଲା ।
ଛଳନା ରହିତ ସ୍ନେହ ଝରି ପଡ଼ୁଥିଲା,
ତହିଁରେ ସଭିଙ୍କୁ ସିଏ ଆପଣେଇ ଥିଲା ।
ଘରେ ସମସ୍ତେ ରହିଲେ ଖୁସି ହେଉଥିଲା,
ନାଚି, କୁଦି, ଖେଳି, ଡ଼େଇଁ ମସ୍ତି କରୁଥିଲା।
ଅଭିମାନେ କେବେ ପୁଣି ରୁଷି ଯାଉଥିଲା,
ଆମ ଫେରିବା ବାଟକୁ ଚାହିଁ ରହୁଥିଲା ।।୨।।
ସାଥୀ ଥିଲା ସେ ଆମ ସୁଖ ଆଉ ଦୁଃଖର,
ମମତା ଲଗାଇ ଥିଲା ଚଉଦ ବର୍ଷର।
ମୋ ନାତୁଣୀର ଥିଲା ସେ ଅତି ଆପଣାର,
ଦିନ ସାରା ତା’ ସହିତ ନସରପସର।
କେନ୍ଦ୍ରବିନ୍ଦୁ ଥିଲା ସିଏ ଆମ ଆଦରର,
ତା’ବିନା ଏବେ ଲାଗୁଛି ସବୁତ ଅସାର।
ସିଏତ ଥିଲା ଆମ ଘର ପୋଷା କୁକୁର,
ଶରଧାରେ “ଡିଟୁ” ନାମ ରଖିଥିଲୁ ତା’ର ।।୩।।