ଆଲୋକ କୁମାର ପ୍ରଧାନ, ପୁରୀ, ୧୨ ଡିସେମ୍ବର ୨୦୨୨
ଦୁଃଖ ଦୁର ନଈ ଚହଲା ପାଣିର ଫେଣ ଚବଚବ ଢେଉ।
ଦୁଃଖ ଦୁଇଧାର ଦରଦୀ ପ୍ରାଣର ଦରମିଶା ଖୁଦ ଯାଉ।।
ଦୁଃଖ ଦରଭଙ୍ଗା ଖିଆଲି ମନର ଦରଫୁଟା ଭୋତୁଆଣି।
ସୁଖ ଉହ୍ନେଇରେ ଦୁଖ କି ସିଝଇ ଜାଳ ଖାଏ ନାଗୁଆଣି।
ଦୁଃଖ କୁ ଦେଖେଇ ହୁଏ ନାହିଁ ବୋଲି ସୁଖ ଖେଳେ ଲୁଚକାଳି।
ସୁଖକି ବୁଝିବ ଦୁଃଖ ର ଦରଜ ଦୁଃଖୀ ପାଦ ନଖ ମଳି।
ଦୁଃଖୀ ସାତସିଆଁ ପଣତ ଛାଇରେ ସୁଖ କି ପକାଏ ଡେରା।
ଫଟା କପାଳକୁ ଦୁଃଖ ପା’ଭୋଦୁଅ ଚାଇଁଚାଇଁ ପାଣି ଖରା।
ଦୁଖଃ ଭୋଗା ପାଦ ସବୁଠି ଅଚିହ୍ନା ନଇଁନଇଁ ଦିନ ସାରେ।
ସୁଖର ଗଣ୍ଠିଲି ଛାଇ ଆଶାକରି ମୁଣ୍ଡ ଝାଳ ତୁଣ୍ଡେ ମରେ।
ଦୁଃଖ ଦି ପାଖିଆ ଧାରୁଆ ଛୁରୀ ରେ ବେକ ରଖି ଦୁଃଖୀ ଜିଏଁ।
ଦୁଃଖୀ ଲେଖେ ଯଦି ଦୁଃଖର କାହାଣୀ ସୁଖି ଚାହିଁ ହସିଦିଏ।
ଦୁଃଖ ଏକପାଗୀ ଚିତଉ ପିଠାର ଏକପାଖି ଧୋବ ପିଠି।
ତଥାପି ଦୁଃଖୀର ଦୁଆରୁ ଫେରେନି ସୁଖର ବେରିଙ୍ଗି ଚିଠି।