ଆଲୋକ କୁମାର ପ୍ରଧାନ, ପୁରୀ, ୧୮ ନଭେମ୍ବର ୨୦୨୪
ସର୍ତ୍ତ ଶିରୋନାମା ନେଇ ସୁଖ ମୁହାଁ ନ ହୋଇ ଜୀବନ
ଛଳନାର ଛାଇତଳେ ସଜାନ୍ତାନି ନିଜ ଶିରସ୍ତ୍ରାଣ
ଅବିଶ୍ୱସ୍ତ ନିଃଶ୍ବାସକୁ ନିଘା ରଖି ଚାଲନ୍ତାନି ଦକେ
ଦୁଃଖର ଦରଆଉଜା ସୁଖ କିଛି ନଥାପି ଚିବୁକେ
ଅସୁମାରୀ ଆଶା ଦେହେ ଅପ୍ରାପ୍ତିର ସୁମାରି ନ କରି
କୁହା-ଅକୁହା କଥାକୁ ପିନ୍ଧନ୍ତାନି କଣ୍ଠିମାଳ କରି
ଶୁଣା-ଅଶୁଣା ଶେଣାରେ ଜନ୍ତ ପରି ନକରି ବଡେଇ
ଭାବ-ଅଭାବ ଭେଳାକୁ ଭସାନ୍ତାନି ଏକ ମୁହାଁ ହୋଇ
ଝୁଣ୍ଟନ୍ତାନି ଚାଲୁଚାଲୁ ଝୁଙ୍କ ଲଗା ବାଟ ସାରୁ ସାରୁ
କଣ୍ଟିକାଣ୍ଟି ଲୁଚାନ୍ତାନି ଉହ୍ଯକଥା ଉଦାତ୍ତ କଣ୍ଠରୁ
ବାଟକୁ ନଦେଇ ଦୋଷ ସମୟକୁ ଦିଅନ୍ତା ବାଟେଇ
ଥିବା-ନଥିବା ନଥିରେ ନଥାପରି ପାଦ ଥାପି ଦେଇ
ଏମିତି ହୁଅନ୍ତା ସତେ କିଛି କାଳ ପଛକୁ ଫେରନ୍ତି
“ପଛୁଆ” ହୁଅନ୍ତି ପଛେ କିଛି କଥା ପରଖି ନିଅନ୍ତି।।