ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ସେପ୍ଟେମ୍ବର ୨୦୨୪
ଦିନକର ବାଟ ଆଉ ପାଞ୍ଚ ଦିନ ଜମା ଲାଗନ୍ତାନି
ସମୟଟା ସରୁଥାନ୍ତା କାଲି ପାଇଁ ସନ୍ତକଟେ ହୋଇ
ହୁନ୍ଦର କରନ୍ତା ନିଦ ସିନ୍ଦୁକ ତା ଖାଲି ରୁହନ୍ତାନି
ସିନ୍ଦୁକରେ ସନ୍ଧିକରା ଚିନ୍ତା ମାନେ ଯାଆନ୍ତେନି ଶୋଇ ।।
ହସ ମୋର ଲମ୍ବୁଥାନ୍ତା ଠିକ୍ ଗୋଟେ ଲମ୍ବାରାସ୍ତା ପରି
ପ୍ରେମର ସରେଇଘରେ ଅପେକ୍ଷାଟେ ଜଗି ବସିଥାନ୍ତା
ଛୁଆଁ ଟିକେ ପାଉଥାନ୍ତେ ସେ ରାସ୍ତାର ସବୁ ପଥଚାରୀ
ଡେଣାଲଗା ଭାବନା ମୋ ଗଜଲ୍ କି କବିତା ହୁଅନ୍ତା ।।
ବିଶ୍ବାସର ସୀମା ପାଖେ ଡେରାବାନ୍ଧି ରୁହନ୍ତା ନିଃଶ୍ୱାସ
ପ୍ରାପ୍ତିର ପ୍ରଶସ୍ତିଠାରୁ ବେଶି ଥାନ୍ତା ଅପ୍ରାପ୍ତିର ଝୁଙ୍କ
ହଜିବା ହଜେଇବାର ହିଡତଳେ ଥାନ୍ତା ମଧୁମାସ
ଧୂଳିଘରେ ଧୂଳିଶେଯ ଲାଗନ୍ତା କି ପଲଙ୍କ ପଲଙ୍କ ।।
ସତରେ ଫେରନ୍ତା ଯଦି ଯେତେ ସବୁ ଅଫେରା ଅତୀତ
ଖରା ବର୍ଷା ଶୀତ ଠେଲି ଫେରନ୍ତା ସେ ଉଜିଆଁ ବସନ୍ତ ।।