ଆଲୋକ କୁମାର ପ୍ରଧାନ, ପୁରୀ, ୭ ଅକ୍ଟୋବର ୨୦୨୪
କିଏ ମତେ ଶୁଣାନ୍ତାନି ସେହି ଗୀତ ବାୟାଚଢେଇର
ଶଗଡ଼ିଆ ଗୀତ ଶୁଣି ହିଡ଼ତଳେ ହୁଅନ୍ତି ବିଭୋର
ଗାଈଆଳଟୋକା ସହ ସଞ୍ଜ ଗପିଗପି ଆସୁଥା’ନ୍ତା
ରାତି ମତେ ଡରି ଡରି ମୋ ଆଗରୁ ସଅଳ ପାଆନ୍ତା
ଅଣ୍ଟିଏ ସକାଳ ନେଇ ଅଣ୍ଟା ତଳେ ଖୁସି ଖୋସିଦେଇ
ବଇଁଚକୋଳି କଣ୍ଟାରେ ସ୍ମୃତି କିଛି ଯାଆନ୍ତା ଲଟେଇ
ଜାମୁଡାଳ ମୁଣ୍ଡେ ଖୋସି ଓଠୁ ହସ ଓହ୍ଲାଉ ଓହ୍ଲାଉ
ଲୁହକେନ୍ଦେରାରେ ହସ ହସୁଥା’ନ୍ତା ହୋଇ ଦାଉ ଦାଉ
କାଚରୁ କାଞ୍ଚନ ମୋହ କାଇଁଚର ମାଳାଟିଏ ହୋଇ
ବୟସୁ ଅୟସ ଛାଣି ବୟସକୁ ଦିଅନ୍ତାନି ଧୋଇ
ସବୁ ନାଇଁ ପାଇଁ ହଁ ସବୁ ହଁ ପାଇଁ ନାଇଁ ନାଆଁ ଧରି
ପ୍ରତୀକ୍ଷା ମୋ ବାସୁଥା’ନ୍ତା ବର୍ଷାଧୁଆ ଓଦାମାଟି ପରି
ଆଉଥରେ ଝୁରନ୍ତି ମୁଁ ଜୁର କରିଥିବା ସମୟକୁ
ଏମିତିକା ହୁଅନ୍ତାନି ଓଠଧାରେ ହସ ଲେପିବାକୁ!!