ଆଲୋକ କୁମାର ପ୍ରଧାନ, ପୁରୀ, ୨ ସେପ୍ଟେମ୍ବର ୨୦୨୪
ଫେରନ୍ତା କି ସୁଖତକ ଅଲୋଡ଼ା ସେ ସମୟ ଛାତିରୁ।
ହସର ସହର ଦେଇ ଫେରୁଥାନ୍ତା ଘଡ଼ିଏ ପହରୁ।।
ମୋ ମନର ଗାଁ ମୁଣ୍ଡେ ଦଣ୍ଡେ ରହି ନଈ ହୋଇଯାନ୍ତା।
ଠାରିଦେଇ ଗଲାବେଳେ ଚୁପ୍ କରି ମୋତେ ଛୁଉଁଥାନ୍ତା।।
ଝୁଲୁଥାନ୍ତା ସ୍ବପ୍ନସବୁ ସେଦିନର ଏରେଣ୍ଡା ସେପାଖେ।
କିଛି ଗୋଟେ ଭୁଲୁଥାନ୍ତି ଚଟକରି ନିହାତି ଏପାଖେ।।
କିଏ ସେ ଶୁଣଉଥାନ୍ତା ଭୁଲିବାଟା ଯମା ଭଲ ନୁହେଁ।
ପ୍ରେମ କିଛି ଉଉଁଥାନ୍ତା ପାଖଘର ଖୋଲା ଝର୍କା ଦେହେ।।
ମୁଠେଖରା ହସୁଥାନ୍ତା ଆଞ୍ଜୁଳାଏ ହସ କିଆରୀରେ।
ମୁଠେ ରଙ୍ଗ ଫୁଲ ହୋଇ ଫୁଟୁଥାନ୍ତା ଫଗୁଣ ଦେହରେ।।
ମୁଠେ ରାତି ତାତି ପରି ଚଢୁଥାନ୍ତା ଶବ୍ଦର ଶେଯରେ।
ଯେ’ଥାଉ ଯାହାର ମତେ ମୁଁ କିନ୍ତୁ ଥା’ନ୍ତି କବିତାରେ।।
ସତରେ ଫେରନ୍ତା ଯଦି ସମୟଟା ସେଦିନ ସହରୁ।
ଆଜି କି ଖୋଜନ୍ତି ବସି ସେହି ବାସ୍ନା କାଗଜଫୁଲରୁ।।