ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ମାର୍ଚ୍ଚ ୨୦୨୬
ଥିଲା ଥିଲା ବୋଲି କହିଲେ କି ହେବ ନଥିବା ଭିଡ଼ରେ ଥାଇ
ଥିଲାର ସନ୍ତିଲା ନଥିଲା ଭୋକକୁ ପାରେ କିବା ଆପଣେଇ
ଥିଲା ସହରରେ ନଥିଲା ଗାଁଆ ର ଚିତ୍ର ତ ଚଇତ ସରି
ଥିଲାର ନଥିରେ ନଥିଲା ନାଁଆ ରେ ଅପବାଦ ହସକୁରୀ
ଆଖ୍ୟାୟିତ ହୋଇ ସବୁ ଅଖ୍ୟାତ କି କୁଖ୍ୟାତି ମୁଣ୍ଡେଇ ଚାଲେ
ସବୁ ଆବେଗ କି ଅକାଳ ମରଣ ଲଭେ ଅନୁରାଗ ତୁଲେ
କେତେ ଭଲ ପାଇଁ ଭେଲର ସକାଳ ଆସେ ନିରିମଳ ହୋଇ
ଯନ୍ତ୍ରଣା ସହିତ କେତୁଟା ଜୀବନ ଯତୁଗୃହ ସାଜେ ନାହିଁ
ସବୁ ଆରାମର ବିରାମ ପଞ୍ଝାରେ ସଞ୍ଜ କି ଅବେଳେ ଉଏଁ
ସବୁ ଅବସୋସ ଅବବୋଧ ହୋଇ କେତେ ବାଟ ଅବା ଯାଏ
କେତେ ବା ଆୟୁଷ ବିଶ୍ୱାସ ହୋଇ ନିଶ୍ୱାସକୁ ବତୁରାଇ
ଅନେକ ପକ୍ଷର ପକ୍ଷଧର ହୋଇ ବିପକ୍ଷେ କି ଚାଲେନାହିଁ
ସବୁ ଏପାଖର ସେପାଖ ଦେଖିକି ପକେଇ ହୁଏ କି ପାଦ
ଦି’ପାଖିଆ ଆଖି ଦୋ’ଫାଙ୍କିଆ କଥା ଭୋଗେ କି ଗହମ ନିଦ।।






