ସସ୍ମିତା ପଣ୍ଡା, କଟକ, ୫ ନଭେମ୍ବର ୨୦୨୨
କଲମ ମୁନରେ ଯେତେ କଳ୍ପନାର ଛବି
ନିଗିଡା ସେ ଅନୁଭବ କରୁଥାଏ ଦାବି ।
ଆଖିଖୋଲେ ବାସ୍ତବତା
ସକାଳର ନୀରବତା
ଫେରୁଥାଏ ଅନୁଭୁତି ହୃଦୟକୁ ଭେଦୀ ।।
ଭିଜା ନିଶୀଥରୁ ମୋର ମନ ପରିଭାଷା
ଶବ୍ଦ କଳି ଫୁଟିବାର ମଧୁମୟ ଆଶା
ହୃଦୟର ପବିତ୍ରତା
ମନସ୍କରେ ସଦ୍ୟସ୍ନାତା
ଅତୀତରୁ ବର୍ତ୍ତମାନ କେତେ ଯେ ସାଇତା ।
ଝୁମିଯାଏ ଝାଉଁ ବଣେ ସେଇ ଜହ୍ନରାତି
ଭାବମୟ ହୋଇଯାଏ ମୋହଭରା ସ୍ମୃତି ।
ଏ ନୀଳ ଆକାଶ ତଳେ
ସ୍ପନ୍ଦନର ଅନ୍ତରାଳେ
ଝୁଲିପଡେ ଆଖିଆଗେ ଅତୀତର ପଂକ୍ତି ।
ଆଖିତିନ୍ତା ମେଘ ପଢେ ମନତଳ ବ୍ୟଥା
ଭିତରଟା ଭେଦିଯାଏ କହିଥିବା କଥା
ସମୟର ଆର ପାଖୁ
ନିଜକୁ ମୁଁ ଦେଖୁଦେଖୁ
ଆଜି କିଆଁ ଦେଖାଦେଲା ଅଳସୀ କବିତା ।