ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ଜାନୁଆରୀ ୨୦୨୩
ଅନେକ ଦିନୁ ସରିବ ସରିବ ହେଉଛି, ବିତିଗଲାଣି ଅନନ୍ତ କାଳ
ହେଲେ ସରୁନି,ସରିପାରୁନି ନାଟକ
ଫେରିଗଲେଣି ଅନେକ ଦେଖଣାହାରୀ
ବିଦାୟନେଲେଣ ଅନେକ ଅଭିନେତା ଅଭିନେତ୍ରୀ
ଖାଲି ହେଇଗଲାଣି ମଞ୍ଚ, ହଲ୍ ବି
ଲିଭିଗଲାଣି ଆଲୁଅ
ଖାଁ ଖାଁ ପଡ଼ିଲାଣି ଚାରିପାଖର ରାସ୍ତା
ବନ୍ଦହେଲାଣି ଦୋକାନ ବଜାର
ମଉଳି ଗଲାଣି ଚା’ଦୋକାନର ଭିଡ଼
କେତେ ଯୁଗରୁ ଚାଲିଛି ଏ ନାଟକ କେଜାଣି
କେବେ କେବେ ଲାଗୁଛି ସରିଯିବ ଆଜି
ହେଲେ ସରୁନି
ନୂଆ ନାଟକ ଦେଖିବାକୁ କେହି ନାହିଁ ଆଉ ଏଠି
ପୁରୁଣା ମାଇକବାଲା କେବେଠୁ ଗଲାଣି ଯେ ଗଲାଣି, ଆଉ ଫେରୁନି
ବହୁ ଦେଖଣାହାରୀ ପୁଅଝିଅମାନେ ବୁଢ଼ା ବୁଢ଼ୀ ହେଇ
ଜେଜେ ମାଆ ଜେଜେବାପା ଅଜା ଆଈ ହେଇସାରିବେଣି, କଳା ବାଳ ପଡିଗଲାଣି ଧଳା
ଦିଶିଲାଣି ଝୋଟ ପରି
ହେଲେ ନେପଥ୍ୟ ନାଟ୍ୟକାର ବନ୍ଦ କରୁନି ଲେଖିବା ତା ଅନନ୍ତ ନାଟକ
ନିର୍ଦ୍ଦେଶକ ବନ୍ଦ କରୁନି ନିର୍ଦ୍ଦେଶନା
ବନ୍ଦହେଉନି ଭଙ୍ଗା ଦଦରା ଥିଏଟର
ନାଟକ ଚାଲିଛି, ସରିବ ସରିବ ହେଉଛି ବାରମ୍ବାର
ହେଲେ ସରୁନି
ଏ ନାଟକ କେବେ ସରିବ କେଜାଣି ?