ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୧୮ ମଇ ୨୦୨୫
ଏଥର କିଛି ବି ନଥିଲା
ଲମ୍ବା ଲମ୍ବା ବାରଣ୍ଡାର ଦଲାଣ
ପବନରେ ଛାତକୁ ଛୁଉଁଥିବା
ନଡ଼ିଆ ବାହୁଙ୍ଗା
କିମ୍ବା ତେନ୍ତୁଳି ଗଛର ପୃଥୁଳ ଗଣ୍ଡି।
କଞ୍ଚନଗଛ ଭାଙ୍ଗି ପଡ଼ୁ ନଥିଲା ଫୁଲରେ।
ଘର ଭିତରେ ଆଗ ପରି
ଅଭିଜାତ ଆଲୁଅ ନଥିଲା
କି ନିରାପଦ ଚୁଲୀମୁଣ୍ଡ ବି ନଥିଲା
ମାଟିଲିପା ଚୂଲି ସ୍ଥାନରେ ଥିଲା
କାଲଗ୍ୟାସ୍ ଏବଂ ରେଫ୍ରିଜେରେଟର।
ସେମାନେ ନିଜର ଉପସ୍ଥିତିକୁ
ପ୍ରତି ମୁହୂର୍ତ୍ତରେ ଜାହିର କରୁଥିଲେ।
ମୁଁ ବାରମ୍ବାର ଝୁଣ୍ଟୁଥିଲି ଚାଲିଲା ବେଳେ।
ଘରର ପଛପଟ କାନ୍ଥ ଫଟାଇ
ବରଗଛଟି ଗର୍ବର ସହ ମୁଣ୍ଡ ହଲାଉଥିଲା
ସମସ୍ତଙ୍କ ସାମ୍ନାରେ।
କ୍ୟାନସର ପରି ତା ଚେର ମାଡ଼ି ଯାଇଥିଲା କାନ୍ଥରେ
ଘରଟିର ପଞ୍ଜରା ଗଣି ହୋଇ ଯାଉଥିଲା
ମୁଁ ଆଜି ଅତିଥି ସେ ଘରେ।
ଆଉ କେତେ ଘଣ୍ଟା ପରେ
ମୁଁ ବି ଫେରିଯିବ ଅନ୍ୟମାନଙ୍କ ପରି।
ଚୂନ ସୁରକି ଖସି ଯାଇଥିବା ଘରଟିକୁ
ଟିକିଏ ଆଉଁଷି ପାରନ୍ତି କି?






