ଆଲୋକ କୁମାର ପ୍ରଧାନ, ପୁରୀ, ୧୭ ଜୁନ୍ ୨୦୨୪
ପ୍ରେମିକା ପରି ମୋ ଗାଆଁ ଦୁରେଥିଲେ ଭାରି ମନେ ପଡ଼େ ।
ପାଖେଥିଲେ ପକ୍ଷୀ ପରି ମୋ ମନରେ ନିଜକୁ ସଜାଡ଼େ ।।
ତା’ ଦେହରେ ପରବଟେ ଶାଢ଼ୀ ପରି ବେଶ୍ ମାନୁଥାଏ ।
ଦେହସୁଆ ସୁଖ ଗୁଡ଼ା ସବୁବେଳେ ନୂଆ ଲାଗୁଥାଏ ।।
ତା କୋଳରେ କୂଳ ଥାଏ କେବେ ଗୋଡ଼ ଖସାଇ ଦିଏନି।
ବଣାରେ ଚାଉଳ ଥିଲେ କା’ଘରେ କେ ଉପାସ ରୁହେନି ।।
ଗାଆଁରେ ହାତକୁହାତ ଛନ୍ଦିଦେଲେ ସରଗ ପାହୁଣ୍ଡେ।
ଘଡିମାରି ଦୁଃଖ ଆସେ ଗାଁ ଛାତିରେ ରୁହେ ନାହିଁ ଦଣ୍ଡେ।।
ଗାଆଁର ମହକ ନେଇ ଯିଉଁଥିଲେ ଏକା କିଏ ରୁହେ ।
ଯେଉଁଠି ଯେମିତି ଥାଅ ସେଠି ଗୋଟେ ଗାଁ ଜିଇଁଥାଏ।।
ସମୟ ଅଟକେ ଏଠି ଅଟେଇରେ ରୁହେ ନାହିଁ ମନ।
ସେ ମାଟିରେ ପାଦଦେଲେ ମନ ଲାଗେ ପବନ ପବନ।।
ଗାଁ ରେ ମୁଁ ଥାଏ କି ନଥାଏ ମୋ ଭିତରେ ଗାଁ ଟିଏ ଥାଉ।
ଭାଙ୍ଗିବା ହଜିବା ପଥେ ଫେରିବାର ଠିକଣାଟେ ହେଉ ।।