ଆଲୋକ କୁମାର ପ୍ରଧାନ, ପୁରୀ, ୫ ଜୁନ୍ ୨୦୨୩
ଆୟୁଷ ଆଉଁସି ଦିଏ ଆଉଁସି କି ଛିଡ଼ି ଯାଉଥାଏ
ଭାଗକୁ ଭୋଗିବା ପାଇଁ ସଜ ସାଜେ ସୀମା ଶେଷ ଯାଏଁ ।
ସମୟ ସରିଲେ ସରେ ନ ସରିଲେ ତା’ର କିବା ଯାଏ
ପତର ପଥର ତଳେ ସ୍ବପ୍ନ ତାର କୁଆଁ କି ମେଲାଏ !
କଅଁଳିଆ କଳେବର ଠିକଣାଟେ କଅଁଳ ପଣର
ଭାବରେ କୋମଳ ଲାଗେ ଅଭାବରେ ପ୍ରେମ ଜରଜର ।
ତା ପୃଥିବୀ ତା ରଙ୍ଗରେ ହସିଦେଲେ ହସି ଦେଉଥାଏ
ଭୋଗେ କେତେ ଭାଙ୍ଗେ କେତେ ସେ ହିସାବ ତା ପାଖେ ନଥାଏ ।
ଆକାଶ ଛୁଇଁଲା ଭାବେ ଆକାଶିଆ ଲାଗେନା ତା ମନ
ନଇଁଲା ନରମ ପଣେ ଭରା ତା’ର ସମଗ୍ର ଜୀବନ ।
ନଇଁପଡ଼ି ନିଦ ଯାଚେ କା ସ୍ବପ୍ନ ରେ ଡେଣା ଖଞ୍ଜି ଦେଇ
ଶାନ୍ତିର ଅମରାବତୀ ତାର ଛୁଆଁ ତା ଦେହରେ ଛାଇ ।
ଘାସ ବି ଘୋଷଣା କରେ ଘୋଷା ପ୍ରେମେ ଘଷାମଜା ଦୁଃଖ
ଘାସର ବି ମନ ଥାଏ ଥାଏ କିଛି ଦେହସୁଆ ସୁଖ ।