ଆଲୋକ କୁମାର ପ୍ରଧାନ, ପୁରୀ, ୯ ମାର୍ଚ୍ଚ ୨୦୨୬
କେମିତି ରାସ୍ତାଟେ ସରେ ମରୁଥାଏ ସରିବା ସମୟ
ସମୟ ମୁଠାରେ ଧରି ହେଉଥାଏ ଆୟୁଷର କ୍ଷୟ
ଖୁଆଦଣ୍ଡ ପରି ଘୁରି ଭୋଗୁଥାଏ ସଞ୍ଜରୁ ସକାଳ
ଗୋଧୂଳି ଆଲୁଅ ପାଇଁ ଭାରି ଭାରି ଲାଗେ ସଞ୍ଜବେଳ
କାଗଜ ଫୁଲର ଦେହେ ହସି ଉଠେ ନିଅନ ଆଲୁଅ
ବତୀଖୁଣ୍ଟ ସାରା ସଞ୍ଜ ଲେଖୁଥାଏ ଅନ୍ତିମ ବିଦାୟ
ମଉଳା ସମ୍ପର୍କ ପରି ମୁକୁଳେଇ ପାରେନି ହସକୁ
ବାଉଳା ପବନ ସରି ସାରୁଥାଏ ଅଛୁଆଁ ଭାବକୁ
କେଉଁ ପତ୍ର ଗହଳିରୁ ଲୁଚି ଲୁଚି ପ୍ରେମର ଚିଟଉ
ପଢୁଥାଏ ପ୍ରେମିକଟେ ସମ୍ପର୍କରେ ସଞ୍ଜ ନଉଁ ନଉଁ
ରାତି ଅନିଶାରେ କେବେ ଗୋଧୂଳିକୁ ଜଣାଏ ବିଦାୟ
ଗୋଧୂଳି ତ ଦିନ ଆଉ ରାତି ସହ ପ୍ରେମଟିଏ ହାୟ
ବାଟ ତ ବଟୁଆ କେବେ ଭେଟିବାର ଲେଉଟି ଯିବାର
ଗୋଧୂଳି ତ ସନ୍ଧିକ୍ଷଣ କେତେ ପ୍ରାପ୍ତି କେତେ ଅପ୍ରାପ୍ତିର।।






