ଆଲୋକ କୁମାର ପ୍ରଧାନ, ପୁରୀ, ୨୨ ଜାନୁଆରୀ ୨୦୨୪
ଭାଗକ ଆୟୁଷ ଟେକି ସଞ୍ଚାପରି ନଟେଇ ହାତରେ।
ଗଣ୍ଠିକୁ ଭରଷାକରି କାନି ଖାଏ ଶୂନ୍ୟ ଚୌହଦୀରେ।।
ଉଠୁଥାଏ ଉପରକୁ ଦଲକାଏ ପବନକୁ ନେଇ।
ଓହ୍ଲଉଥାଏ ତଳକୁ ଉଠିବାକୁ ମାଟି ଛୁଇଁ ଦେଇ।।
ପବନ ସାଥିରେ ଗାଇ ଗୀତକିଛି ମନରୁ ମନରୁ।
ସୁତାର ଲହର ସାଙ୍ଗେ ଲହରେଇ ଖିଆଲି ଗୀତରୁ।।
ନଟେଇ କି ଶୁଣୁଥାଏ ଭୋଗୁଥାଏ ଉଡ଼ାଣକୁ ଖାଲି।
ଫେରିବାର ଇଛା ନେଇ ଦେଖୁଥାଏ ସମ୍ଭାବନା ବାଲି।।
ସୂତାଖିଅକର ବଳେ ପହଁରେ ସେ ଉପରୁ ତଳକୁ।
ଛିଣ୍ଡିଗଲେ କଟିଯାଏ ଭୁଲିହୁଏ ସବୁ ସମ୍ପର୍କକୁ।।
ଛାଇ ଫେରେ ହଲିହଲି କିଛି ଶୋଷ ଅନ୍ତରରେ ମାରି।
ଶୋଷ କ’ଣ ଶେଷକଥା ଗୁଡ଼ି କ’ଣ ନିର୍ବାଣର ତରୀ ?
ଜୀବନଟା କଟାଗୁଡ଼ି ନଟେଇ ଓ ସୂତାଧାରେ ବନ୍ଧା।
ସୂତେସୂତେ ଖେଳେ ପ୍ରାଣ କଟିଲେ କଟେ କି ଦ୍ବିବିଧା??