ଆଲୋକ କୁମାର ପ୍ରଧାନ, ପୁରୀ, ୧୮ ସେପ୍ଟେମ୍ବର ୨୦୨୩
ପ୍ରାର୍ଥନା ଓ ଭିକ୍ଷାଥାଳ ଏକାସାଙ୍ଗେ ମୁଣ୍ଡେଇଲା ପରେ
ପାପ ଓ ପୂଣ୍ୟ ର ଘଡ଼ା ପୁରିଉଠେ ଗୋଟେ ନିଃଶ୍ବାସ ରେ
ଉଠିଗଲେ ପ୍ରାଚୁର୍ଯ୍ଯ ର କୋକେଇଟା ବିବେକ ଦୁଆରୁ
ସୁଖ ଓଦାକାନ୍ଥ ଧସେ କେବେ କେବେ ହାତ ଅଳସରୁ ।
ଏ ହାତୁ ଡିଏଁନା ପାପ ସେ ହାତରୁ ପୂଣ୍ୟ ବି ଡିଏଁନା
ଏ ହାତ କରିବା ପାପ କଦାଚିତ ସେ ହାତ ଭୋଗେନା
ମୁଠାଏ ବାଦଲ ଧରି ବର୍ଷିଗଲେ ହାତେ ଖିଆଲରେ
ଆତ୍ମପକ୍ଷ ରଖେ କି ସେ ହାତେ ଖୁସି ଚାଖଣ୍ଡେ ହସରେ ?
ଚାରି ଭାଙ୍ଗ କରିଦେଇ ହାତ ଯେବେ ଲୁଚାଏ ନିଜକୁ
ଉଠିବା ହାତର ବଳ ଥାଏ କିବା ମୁଣ୍ଡ ଟେକିବାକୁ
ମଣିବନ୍ଧ ରୁନ୍ଧି ହୁଏ ପାପୁଲିର ରକ୍ତାକ୍ତ ଲାଜରେ
ଅଣାୟତ ହାତ ଦେହେ ହାତ ଲିଭେ ହାତ ଅନିଶାରେ ।
ହାତକୁ ହାତରେ ଦେଇ ହାତ ଯେବେ ଲେଖେ ହାତ କଥା
ହାତେଇ ହୁଏ କି ସତେ ହାତ ଲେଖା ନୀରବ କବିତା ?