ଆଲୋକ କୁମାର ପ୍ରଧାନ, ପୁରୀ, ୨୧ ନଭେମ୍ବର ୨୦୨୨
ମୋତେ କିଏ କହୁ ଅବା କେ ନ କହୁ ଜିଇଁ ବି କେମିତି ବୋଲି।
ଜିଇଁବା ମରିବା ଖାଇରେ ଡଁଅରେ ବାସନା ଟେ ଝୁଲି ଝୁଲି।।
ସେଇ ବାସ୍ନାର ମୋହରେ ଜୀବନ ଏ କୂଳ ସେ କୂଳ ଧାଏଁ।
କୂଳ କୋଳେ କାଳ ଶୂନ୍ୟତା ସାଥେ କଅଁଳେଇ ହସୁଥାଏ।।
ମୋତେ କିଏ ଅବା ବୁଝୁ କି ବୁଝୁ କେମିତି ମୁଁ ମରି ଯିଏଁ।
ସେକାଳ ଫଗୁଣ ଏକାଳେ କାହିଁକି ଅବେଳରେ ଧରା ଦିଏ।।
ଧରା ଦିଏ ସିନା ବାଟ ଟିଏ ହୋଇ ବାଟୋଇ ଭାବରେ ଭିଜେ।
ଯେଉଁଠି ଜୀବନ ଆପେ ହଜିଯାଇ ଆପଣାକୁ ପୁଣି ଖୋଜେ।।
ଯେଉଁଠି ଜୀବନ କାକ୍ଟସ କାଖେ ପତ୍ର ଟେ ହୋଇ ନାଚେ।
ସେଇଠି ଜୀବନ ପୂର୍ଣତା ଦେହେ ଶୂନତା ଖାଲି ରଚେ।।
ଯେଉଁଠି ଜୀବନ ଅପରିଚିତ ର ପରିଚୟ ନେଇ ଜିଏଁ।
ସେଇଠି ଜୀବନ ଦହଡ ଦାଉରେ ମନଭରି ଶିଝୁଥାଏ।।
ହେ ଜୀବନ! ତୁମେ ବାସୁଥା ଏମିତି ଜିଇଁ ବାର ମିଶ୍ର ରାଗେ।
ଜୀବନ ନ ସରୁ ସପନ ନ ସରୁ ପ୍ରେମ ରହିଥାଉ ଆଗେ।।