ଆଲୋକ କୁମାର ପ୍ରଧାନ, ପୁରୀ, ୪ ସେପ୍ଟେମ୍ବର ୨୦୨୩
ଯା’ ପିଠିରେ ଲାଉ ହୋଇ ସୁଖ ଫେରେ ଦୁଃଖ ଆଢୁଆଳୁ
ଅଡ଼ୁଆ ସୁତାର ଗଣ୍ଠି ଫିଟିଯାଏ ସାଉଁଳୁ ସାଉଁଳୁ ।
ଯା’ ଦେହ ଦେହରେ ବାପା ଲେଖୁଥାନ୍ତି ଖିଆଲରୁ କିଛି
କତି କରି ଲଦୁଥାନ୍ତି ଯେ’ସୀମାରୁ ଅବାଟେ ଚାଲିଛି।
ପେଟେ ଭୋକ ମୁହେଁ ଲାଜ ଥାଉ କହି ଦୋସୁମାଳୀ ହୁଏ
ଘଳିଆ ପେଟରେ ରଖି ଉପରକୁ ଟାଣେ ଚାହୁଁ ଥାଏ ।
ସୀମାନ୍ତରେ ଭିଜୁ ଥାଏ କିଛିବାଟ ମୋ ବାପାଙ୍କ ପରି
ଅଭାବ ଏପାଖେ ରଖି ଆରପାଖ ଭାବରେ ବତୁରି ।
ଦି ପାଖରୁ ଛିଡ଼ୁଥାଏ ବଢୁଥାଏ ଅଣଦେଖା ଦେହେ
ମନ ଊଣା ନ କରିବି ମରଣକୁ ନିତିଦିନ ସହେ ।
ଦି ସୀମାକୁ ଛୁଉଁ ଥାଏ ଅଛୁଆଁ ସେ ତା’ ଚଉହଦୀରେ
ବିଶ୍ବାସ ର ମଞ୍ଜ ହୋଇ ଅବିଶ୍ବାସ ବୋଳେ ତା ଦେହରେ।
ହିଡ଼ ଟିଏ ହାଡ଼େ ହାଡ଼େ ଭୋଗୁଥାଏ ତା’ନୀରବତାକୁ
ବାଟ ହୁଏ ବାଣ୍ଟି ହୁଏ ଜଗିବସି ତା’ଦୁଇ ସୀମାକୁ।