ଆଲୋକ କୁମାର ପ୍ରଧାନ, ପୁରୀ, ୧୨ ମଇ ୨୦୨୫
ଗାଧୁଆ ତୁଠର ତୁଠ ପଥରରେ ହଳଦୀବୋଳା ସେ ପାଦ
ଅଳତା ଗାରରେ ଗାରେ ପ୍ରେମ ସାଥେ ମୁହଁ ଦେଖୁଥାଏ ଚାନ୍ଦ
ଆଣ୍ଠୁଏ ପାଣିରେ ଆରପାଦ ରଖି ପାଦରୁ ଛଡ଼ାଏ ମଳି
ଆଖିରୁ ଓଠରେ ରାତିଧୁଆ ରଙ୍ଗ ଧିରେ ଦେଉଥାଏ ବୋଳି
ହସିବା ଆଗରୁ ଲାଜ ଭାରି ହୁଏ ନହକା ମନରେ ତାର
ଓଦା ସରସର କାନିକୁ ଅଣ୍ଟେନି ସରମ ଫୁଲିଆ ଡର
ହରିଣୀ ଆଖିରେ ବାଟେଇ ପାରେନି ଭୁଆସୁଣୀ ଡର ମନୁ
ସାଇତା ମୁଖରୁ କାଣାଚାଏ ପାଇଁ ଆତୁର ସେ କେଉଁ ଦିନୁ
ସେଦିନ ପଥର ତୁଠରେ ବାହୁନେ ଭଙ୍ଗା ପାଣିକାଚ ଦେଖି
ଲିଭା ସିନ୍ଦୂରର ଭରାଦିଆ ହାତ ପାଇଁ ରୁହେ ଯେବେ ସାକ୍ଷୀ
ହୃଦୟ ଭାଙ୍ଗିବା ଶବଦ ଶୁଣେ ସେ ମଥାପିଟା ବାହୁନାରୁ
ପଥର ତରଳେ ଗାଧୁଆ ତୁଠରେ ଭାଙ୍ଗୁଥାଏ ସେ ଭିତରୁ
ରୁଣୁଝୁଣୁ ଚୁଡ଼ି ଶବଦ ବଦଳେ ପାଣି କାଚ ଭଙ୍ଗା ବାଧେ
ତୂଠେ ଶୂନ୍ୟତାର ମରମ ଦହଇ କାନପାଖେ ଦୁଃଖ ବୋଧେ।।