ଆଲୋକ କୁମାର ପ୍ରଧାନ, ପୁରୀ, ୨୮ ନଭେମ୍ବର ୨୦୨୩
ଗାଁ ମୁଣ୍ଡ ଶେଷଘର ସୀମାଡେଇଁ ଅନ୍ଧାର ସେପାଖୁ ।
ଡେଉଁଥାଏ ତୋଫାପଣ ଏ ସୀମାର ଛଡ଼ାଇ ମଳଖୁ।।
ନଈ ବି ଲାଗଇ ତୋରା ତୀରେ ତାର ତାରା ଫୁଲ ଗୁନ୍ଥି।
ନିରବ ନଅର ଦେହେ ହସିଉଠେ ହସ ପେନ୍ଥିପେନ୍ଥି।।
ବିଲ ବି ଶୁଣାଏ ଗୀତ ଗମାତରେ ପବନକୁ ବସି।
ହିଡ଼ ଡେରିଥାଏ କାନ ଲାଗୁଥାଏ ଅଳସୀ ଅଳସୀ।।
ଜହ୍ନପାଖେ ମନରଖି କଇଁ ତା’ର ଆଖି ଖୋଲୁଥାଏ।
କାକରକୁ ସାକ୍ଷୀ ରଖି ରୂପାରଙ୍ଗ ଦେହେ ମାଖୁଥାଏ।।
ଦୁରକୁ ଦୁରକୁ ଧାଏଁ ଆଖିଆଗୁଁ ସବୁ ଚିତ୍ରପଟ।
ଚେନାଏ ଅନ୍ଧାର ପାଇଁ ଖୋଜାପଡ଼େ ଅସରା ଆକଟ।।
ଏପଟେ ଅନ୍ଧାର ପିନ୍ଧି ଆଲୁଅର ଜରିଲଗା ଶାଢ଼ୀ।
ସେପଟରୁ ବଗପଞ୍ଝେ ଧାଉଁଥାନ୍ତି ଡେଣା ଝାଡ଼ି ଝୁଡ଼ି।।
ଜହ୍ନ ବି ଓହ୍ଲଉଥାଏ ଗୋଧୁଳିରୁ ପାହାନ୍ତିଆ ଯାଏଁ
ଜୀବନ ଉଛୁଳୁଥାଏ ସତେ ଅବା ଜହ୍ନରାତିଟାଏ।।