ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୫ ମାର୍ଚ୍ଚ ୨୦୨୩
ସ୍ୱପ୍ନକୁ ଆହୁଲା କରି ବୁଢ଼ାବଳଙ୍ଗରେ
ଭସାଇ ଦେଉଥିଲେ ଦୂରକୁ
ଡାଲଚିନି ଲବଙ୍ଗ ଦ୍ଵୀପକୁ
ସେଇ ଭୁମିରେ ମୋ ଘର
ଯେଉଁ ଭୂମିରେ ସ୍ଵପ୍ନ ଦେଖୁଥୁଲେ
ଫକୀରମୋହନ ।
ହୃଦୟ ଦେଇ, ସ୍ଵପ୍ନ ଦେଇ
ମୋ ଭାଷାକୁ ଗରିମାମୟ
କରିଗଲେ ଫକୀରମୋହନ ।
ମୋ ଭାଷା ସ୍ଵାଭିମାନୀ ଓଡ଼ିଶାର ଭାଷା
ଭାଷାର ସଉଧ ପରେ
ଅଭିଷିକ୍ତ ମୋ ଜାତିର ଆଶା ।
କବିତା ଗୋଟିଏ ସେତୁ
ସ୍ଵପ୍ନ ସହ, ଭାଷା ସହ
ଯୋଡ଼ିବାର ସୁବର୍ଣ୍ଣବଳୟ
ପଦ୍ମ ପୋଖରୀର ଗାଁ,
ହଳଦୀପତ୍ରର ଗାଁ,
ମଲ୍ଲିକାଶପୁର ।
ଧନ୍ୟ ତମେ ଫକୀରମୋହନ
ତମ ପାଇଁ ଧନ୍ୟ ହେଲା ଏଇ ମାଟି
ତୀର୍ଥ ଆଜି ମଲ୍ଲିକାଶପୁର ।