ଆଲୋକ କୁମାର ପ୍ରଧାନ, ପୁରୀ, ୧୯ ଡିସେମ୍ବର ୨୦୨୩
ହସିଲେ ବଦଳୁଥାଏ ସକାଳରୁ ସଞ୍ଜର ଦୁରତା ।
ବୁଲିକି ଚାହିଁଲେ ଲିଭେ ଧପକିନା ସବୁ ନିରବତା ।।
ଲଟେଇବାପଣ ଲୋଡ଼ି ମନତଳେ ଧିରେ ଯାଉଯାଉ ।
କାଖରେ କାଖାଏ ଦୁଃଖ ଆନସୁଖେ କାନ୍ଧ ଦଉ ଦଉ ।।
ପଦ୍ମପତ୍ରେ ଜୀବନତା ଢଳଢଳ ଆଲୁଅ ସୋରାଏ ।
ମନରୁ ମନକୁ ସିଏ ଅନାୟାସେ ଡେଇଁ ବୁଲୁଥାଏ ।।
ବାହୁନା ହୁଏ ସେ କେବେ ବାହୁଲ୍ୟ ବି ହୁଏ ତିତିକ୍ଷାର ।
ଅଝରା ଲୁହଙ୍କ ଭିଡ଼େ ଭାଡ଼ିଟିଏ ହୁଏ ସେ ଖୁସିର ।।
ଲାଜର ଗହଣା ପିନ୍ଧି ଲଗାଏ ସେ କର୍ମର କୁଙ୍କୁମ ।
ଚଞ୍ଚଳ ପାଦ ଦୁଇଟି ସବୁ କାମ ପାଇଁ ସର୍ବନାମ ।।
ଛୁଞ୍ଚିମୁନେ ମୁନେକଥା ନେଇ ଭୋଗେ ସମୁଦ୍ରେ ଯନ୍ତ୍ରଣା ।
ସମସ୍ତଙ୍କ ଠିକଣା ସେ ତା’ଠିକଣା କାହାକୁ ବା ଜଣା !!
ଅଖଣ୍ଡଦୀପଟେ ଝିଅ ଭାବ ସିଏ ଭାବାବେଗ ସିଏ ।
ବୋଉର ଦମ୍ଭିଲାପଣ ବାପା ଓଠେ ସରୁ ହସଟିଏ ।।