ଆଲୋକ କୁମାର ପ୍ରଧାନ, ପୁରୀ, ୭ ନଭେମ୍ବର ୨୦୨୨
ଜୀବନ ବିଚିତ୍ର ଫୁଲ କେବେ କେତେ ରଙ୍ଗର ଆକାଶ।
ଆକାଶ ବି ଭାଙ୍ଗିପଡେ ଭେଟ ହେଲେ ଶେଷତମ ଶୋଷ।।
ଶୋଷର କି ଯାଏ ଆସେ ମିଳିଗଲେ ତୃପ୍ତି ର ମୁହାଣ।
ମୁହାଣ ମହଣେ ସ୍ବପ୍ନ ଶିରି ତୁଟା ଶୋଷ ପଦଚିହ୍ନ।।
ଚିହ୍ନକୁ ବି ଚିହ୍ନି ହୁଏ କେବେ କେଉଁ ଅଚିହ୍ନା ରାସ୍ତାରେ।
ରାସ୍ତା ଖୋଲେ ହୃଦୟକୁ ଛୁଇଁ ହୁଏ ଅଦେଖା ପାଦରେ।
ପାଦରେ ପଦୁଟେ ଲେଖି ଅଳତାକୁ ସାକ୍ଷୀ ରଖିଦେଲେ।
ଦେହକୁ ପରଖି ହୁଏ ମୋହମଗ୍ନା ପାଦଟିଏ ହେଲେ।।
ହେଲେ ହେଉ ଜୀବନଟା ଏଇ ଅଛି ଏଇ ନାହିଁ ରଙ୍ଗ।
ରଙ୍ଗ ଭର୍ତ୍ତି ଆକାଶ ଟା ନାଉଥାଉ ମେଘର ସରାଗ।।
ସରାଗେ ଶିଶିର ଢାଙ୍କୁ ଯେତେ ସବୁ ଅମାନିଆ ପଣ।
ପଣରେ ପରାଣ ଲଭୁ ଜୀବନଠୁଁ ଦୁରରେ ନିର୍ବାଣ।।
ନିର୍ବାଣ ମୋ ଲୋଡ଼ା ନାହିଁ ଲୋଡ଼ା ନାହିଁ ସରଗେ ରହଣୀ।
ରହଣିଆ ମନ ମୂନେ ପ୍ରେମ ହେଉ ନାକର ବଷଣୀ।।